ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେଠୁ ଆରମ୍ଭ ହୋଇଛି ଶୀତଲହରୀ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ୨ରୁ ୩ ଡିଗ୍ରୀ କମିଛି। ଆଗକୁ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାକୁ ଏବେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଛି। ଏଥିପାଇଁ ରାଜ୍ୟର ହାରାହାରି ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିଛି। ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ଥଣ୍ଡା ଅନୁଭୂତ ହେଉଛି।

ବୁଧବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୭ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀ ଓ କୋରାପୁଟରେ ୧୩ ଡିଗ୍ରୀ ଏବଂ ଜି.ଉଦୟଗିରିରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଏବେ ସକାଳେ ରାଜ୍ୟର କିଛି ଅଞ୍ଚଳରେ କୁହୁଡ଼ି ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ଆଗକୁ ଦୁଇ ଦିନ ଯାଏଁ ରାତି ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।   

Tags: #Winter #ColdWave #Temperature #Odisha #MCBBSR

Comment