ଓଡ଼ିଶାଲାଇଭ୍ ବ୍ୟୁରୋ

ଗଭୀର ବୋରୱେଲରେ ଖସି ପଡ଼ିଲେ ୮୦ ବର୍ଷୀୟ ବୃଦ୍ଧା। ସୋନପୁର ଜିଲ୍ଲା କଇଁଫୁଲ ଗାଁରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ବୃଦ୍ଧ ମହିଳା ଜଣଙ୍କ ହେଉଛନ୍ତି ଦୁଃଖୀ ନେଗୀ। ସେ ସୋମବାର ରାତିରୁ ବୋରୱେଲରେ ୨୦ ଫୁଟ ତଳେ ଫସି ରହିଥିଲେ।

ଦୁଃଖୀ ନେଗୀ ସୋମବାର ତାଙ୍କ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ। ସେ ଘର ବାଡ଼ି ପଛପଟକୁ ଯାଇଥିବାବେଳେ ସେଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଥିଲେ।

ଘର ଲୋକେ ବୃଦ୍ଧା ଜଣଙ୍କୁ ଅନେକ ଖୋଜା ଖୋଜି କରିବା ପରେ ଶେଷରେ ବୋରୱେଲରେ ଫସିଥିବା ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ସଙ୍ଗେ ସଙ୍ଗେ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ।

ବୃଦ୍ଧ ମହିଳା ଜଣଙ୍କ ବୋରୱେଲରେ ଫସିଥିବା ଖବର ପାଇ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏବେ ଉଦ୍ଧାର କରିବା ପାଇଁ ବୋରୱେଲ ପାଖରେ ଏକ ସାମନ୍ତରାଳ ଗାତ ଖୋଳା ଯାଇଥିଲା। ଏହା ମାଧ୍ୟମରେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାର୍ଯ୍ୟ ଚାଲୁଥିବା ସମୟରେ ବୋରୱେଲ ଭିତରେ ବୃଦ୍ଧାଙ୍କ ପାଖକୁ ଅକ୍ସିଜେନ ଦିଆଯାଉଥିଲା।

ଏବେ ବୃଦ୍ଧା ଜଣଙ୍କ ଅସୁସ୍ଥ ଅଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।   

Tags: #BorewellMishap #ElderWoman #RescueOperation #Sonepur #Odisha

Comment