ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଥିବା ସୁଦୃଶ୍ୟ ଲଘୁଚାପ ଏକ ଅବପାତରେ ପରିଣତ ହୋଇଛି। ଏହା ପ୍ରଭାବରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଏବଂ ପୁରୀ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହା ସହ ଖୋର୍ଦ୍ଧା, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, ଗଜପତି ଏବଂ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ନଭେମ୍ବର ୧୭ରୁ ୧୮ ତାରିଖ ମଧ୍ୟରେ ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ପୁରୀ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ନୟାଗଡ଼, ସୁନ୍ଦରଗଡ଼, ଦେବଗଡ଼, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତା ୧୮ରୁ ୧୯ ତାରିଖ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସେହିପରି ଆସନ୍ତା ୧୯ରୁ ୨୦ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି।

ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବା ଲାଗି ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

Tags: #WeatherUpdates #Odisha #Rainfall #RainfallWarning

LEAVE A REPLY

Please enter your comment!
Please enter your name here