ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାରଠାରୁ ଆରମ୍ଭ ହେଉଛି ଐତିହାସିକ କଟକ ବାଲିଯାତ୍ରା। ନୌବାଣିଜ୍ୟ ପରମ୍ପରାର ସ୍ମୃତି ଓ ସ୍ମାରକୀ ବହନ କରୁଥିବା ଐତିହାସିକ ବାଲିଯାତ୍ରା ଆଜି ସନ୍ଧ୍ୟାରେ ଉଦଘାଟିତ ହେବ।

ଐତିହାସିକ ବାଲିଯାତ୍ରାକୁ ଜାକଜମକରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଚଳିତ ବର୍ଷ ୧,୪୦୦ରୁ ଅଧିକ ଷ୍ଟଲ ହୋଇଥିବାବେଳେ ଓରମାସ ପକ୍ଷରୁ ପ୍ରାୟ ୪୫୦ଟି ଷ୍ଟଲ ଖୋଲାଯାଇଛି। କଟକ-ଇନ-କଟକ ପ୍ୟାଭିଲିୟନରେ ଗାଁ ସଂସ୍କୃତି, ପରମ୍ପରା ଆଦିକୁ ସ୍ଥାନ ଦିଆଯାଇଛି। ୩୦ ଫୁଟ ଉଚ୍ଚର ବାଲୁକା କଳା ସହ ଏଲଇଡି ଲାଇଟ୍, ଲେଜର ସୋ’ର ମଜା ଉଠାଇବେ ଦର୍ଶକ। ଏଥର ବାଲିଯାତ୍ରାର ଅନ୍ୟତମ ଆକର୍ଷଣ ପାଲଟିବ ଫିସ୍ ଆକ୍ଵାରିୟମ ଟନେଲ। ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ପଡ଼ିଆରେ ସ୍ୱତନ୍ତ୍ର କେମିକାଲ ବ୍ୟବହାର କରିବାକୁ ବ୍ୟବସ୍ଥା ହୋଇଛି।

ନଭେମ୍ବର ୨୭ରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରାରେ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ବଲିଉଡ ଏବଂ ଓଲିଉଡର ପ୍ରସିଦ୍ଧ କଳାକାରମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଆଇନଶୃଙ୍ଖଳା ଦୃଷ୍ଟିରୁ ୭୦ ପ୍ଲାଟୁନ ଫୋଲିସ ଫୋର୍ସ ଉଭୟ ଉପର ଏବଂ ତଳ ପଡ଼ିଆରେ ମୁତୟନ ରହିବେ।

Tags: #Historicbaliyatra #cuttack #culture #odisha #Festival

LEAVE A REPLY

Please enter your comment!
Please enter your name here