ଭାସ୍କର ପରିଚ୍ଛା

  • ଭାରତରେ ସିମ୍ କାର୍ଡ ବିକ୍ରି ନିୟମ କଡ଼ାକଡ଼ି
  • ଡିସେମ୍ବର ୧ରୁ କେବଳ ପଞ୍ଜୀକୃତ ବିକ୍ରେତା ହିଁ ବିକିପାରିବେ ସିମ୍
  • ନିୟମ ଉଲଂଘନ ହେଲେ ଟେଲିକମ କମ୍ପାନିକୁ ୧୦ ଲକ୍ଷ ଟଙ୍କାର ଜୋରିମାନା

ଭାରତରେ ଡିସେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ମୋବାଇଲ ସିମ୍ କାର୍ଡ ବିକ୍ରି ପାଇଁ ନୂଆ ନିୟମ। ଏବେ କେବଳ ପଞ୍ଜୀକୃତ ବିକ୍ରେତା ହିଁ ସିମ୍ ବିକ୍ରି କରିପାରିବେ। କେନ୍ଦ୍ର ସରକାର ପ୍ରଥମେ ଏହାକୁ ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ କରିବାକୁ ଯାଉଥିଲେ, କିନ୍ତୁ ପରେ ଏହାକୁ ଦୁଇମାସ ବୃଦ୍ଧି କରାଯାଇଥିଲା। ଯଦି ଆପଣ ଏକ ନୂତନ ସିମ୍ କିଣିବାକୁ ଯୋଜନା କରୁଛନ୍ତି କିମ୍ବା ଜଣେ ସିମ୍ କାର୍ଡ ବିକ୍ରେତା ଅଟନ୍ତି, ତେବେ ନୂତନ ନିୟମ ବିଷୟରେ ଅବଗତ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସିମ୍ କାର୍ଡ ବିକ୍ରିର ନୂଆ ନିୟମ ଅନୁଯାୟୀ, ସିମ୍ ବିକ୍ରୟ କରୁଥିବା ସମସ୍ତ ଡିଲରଙ୍କ ପାଇଁ ଗ୍ରାହକଙ୍କ ପରିଚୟ ଯାଞ୍ଚ କରିବା ବାଧ୍ୟତାମୂଳକ ହେବ। କେବଳ ଏତିକି ନୁହେଁ, ଡିଲରମାନଙ୍କ ନିଜର ପଞ୍ଜୀକରଣ କରିବା ମଧ୍ୟ ବାଧ୍ୟତାମୂଳକ ହେବ। ବିନା ପଞ୍ଜୀକରଣରେ କୌଣସି ବିକ୍ରେତା ସିମ୍ ବିକି ପାରିବେନାହିଁ।

ସିମ୍ କାର୍ଡ ବିକ୍ରେତାଙ୍କ ପଞ୍ଜୀକରଣବେଳେ ସେମାନଙ୍କ କର୍ପୋରେଟ ପରିଚୟପତ୍ର (ସିଆଇଏନ), ବିଜନେସ ଲାଇସେନ୍ସ, ଆଧାର କାର୍ଡ, ପାନ୍ କାର୍ଡ ଓ ଜିଏସଟି ନମ୍ବର ଆଦି ଟେଲିକମ ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ଅନ୍ୟପଟେ ବିକ୍ରେତାଙ୍କ ପଞ୍ଜୀକରଣବେଳେ ଯଦି କୌଣସି ଡକ୍ୟୁମେଣ୍ଟ ଜାଲ୍ ଥିବା ଜଣାପଡ଼ିବ, ତେବେ ତାଙ୍କ ମାଧ୍ୟମରେ ଆକ୍ଟିଭେଟ୍ ହୋଇଥିବା ସବୁ ସିମ୍ କାର୍ଡର ଯାଞ୍ଚ କରାଯିବା ନେଇ ଟେଲିକମ ବିଭାଗ ପକ୍ଷରୁ ସର୍କୁଲାର ଜାରି ହୋଇଛି।

ନକଲି ସିମ୍ ମାଧ୍ୟମରେ ଅନେକ ପ୍ରକାରର ସ୍କାମ ଏବଂ ଜାଲିଆତି ହେଉଥିବାରୁ କେନ୍ଦ୍ର ସଞ୍ଚାର ମନ୍ତ୍ରାଳୟ ଅଧିନସ୍ଥ ଟେଲିକମ ବିଭାଗ ପକ୍ଷରୁ ନିୟମକୁ କଡ଼ାକଡ଼ି କରାଯାଇଛି। ବଢ଼ୁଥିବା ଅପରାଧିକ ମାମଲାକୁ ରୋକିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସିମ୍ କାର୍ଡ କିଣିବା ଏବଂ ବିକ୍ରୟ ପାଇଁ ନୂତନ ନିୟମ ଆଣିଛନ୍ତି। ନିୟମକୁ ଅଣଦେଖା କଲେ ଟେଲିକମ୍ କମ୍ପାନି ଉପରେ ୧୦ ଲକ୍ଷ ଟଙ୍କା ଜୋରିମାନା ଲଗାଯିବ।

ଅନ୍ୟପଟେ ସିମ୍ କାର୍ଡ ପାଇଁ ନୂଆ ନିୟମ ପ୍ରବର୍ତ୍ତନ ପରେ, ଅଧିକ ପରିମାଣରେ ସିମ୍ କାର୍ଡ ବିକ୍ରି ପାଇଁ ଦିଆଯିବ ନାହିଁ। ଅଧିକ ସିମ୍ କାର୍ଡ କିଣିବାକୁ, ଲୋକଙ୍କୁ ବର୍ତ୍ତମାନ ଏକ ବ୍ୟବସାୟିକ ସଂଯୋଗ ନେବାକୁ ପଡ଼ିବ। କୌଣସି ବ୍ୟକ୍ତି ତାଙ୍କର ସିମ୍ କାର୍ଡ ବନ୍ଦ କରିବାକୁ ଚାହାଁନ୍ତି, ତେବେ ସେହି ସଂଖ୍ୟାଟି ଅନ୍ୟ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ହେବ। ଏଥିପାଇଁ ୯୦ ଦିନର ସମୟ ଲାଗିବ।

ଜଣେ ଗ୍ରାହକ ତାଙ୍କ ପୁରୁଣା ନମ୍ବରରେ ସିମ୍ କାର୍ଡ କିଣିବାକୁ ଚାହୁଁଥିଲେ, ତାଙ୍କର ଆଧାର ସ୍କାନ୍ କରିବା ସହ ତାଙ୍କର ରେସିଡେଣ୍ଟ ତଥ୍ୟ ସଂଗ୍ରହ କରିବା ବାଧ୍ୟତାମୂଳକ ହେବ। ସିମର ବିକ୍ରେତା କିମ୍ବା କ୍ରେତା ନିୟମ ଭାଙ୍ଗିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

କେନ୍ଦ୍ର ସଞ୍ଚାର ମନ୍ତ୍ରାଳୟର ସୂଚନା ଅନୁସାରେ ଏ ଯାଏଁ ଦେଶରେ ୬୭ ହଜାର ସିମ୍ କାର୍ଡ ଡିଲରଙ୍କୁ ବ୍ଲାକ୍ ଲିଷ୍ଟ କରାଯାଇଛି। ସେମାନଙ୍କ ବିରୋଧରେ ଅବୈଧ ସିମ୍ ବିକ୍ରି କରିବା ଓ ଅନ୍ୟାନ୍ୟ ଠକେଇର ଅଭିଯୋଗ ହୋଇଥିଲା।

ସେହିପରି ମନ୍ତ୍ରାଳୟ ପକ୍ଷରୁ ଭାରତରେ ୫୨ ଲକ୍ଷ ମୋବାଇଲ ସିମକୁ ରଦ୍ଦ କରାଯାଇଛି। ଏହାସହ ୬୬ ହଜାର ଜାଲ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ଲକ୍ କରାଯିବା ସହ ୩୦୦ରୁ ଅଧିକ ସାଇବର ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Tags: #SimCard #TelecomServices #TelecomOperators #DeptofTelecommunication #India

Comment