ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଓଡ଼ିଶାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ମାଗଣା ନିଟ୍ ଏବଂ ଜେଇଇ କୋଚିଂ ପାଇପାରିବେ। ଛାତ୍ରଛାତ୍ରୀଙ୍କୁ ଅନଲାଇନରେ କୋଚିଂ ଯୋଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ ରଘୁରାମ ଆର ଆୟର ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।   

ଏହି ମାଗଣା ଅନଲାଇନ ନିଟ୍ ଏବଂ ଜେଇଇ କୋଚିଂର ବ୍ୟବସ୍ଥା ରାଜ୍ୟର ସବୁ ସରକାରୀ ତଥା ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ରହିବ। ଏଥିପାଇଁ ଆବଶ୍ୟକ ଥିବା ସ୍ମାର୍ଟ ଟିଭି, ଇଣ୍ଟରନେଟ ଓ ଅନ୍ୟାନ୍ୟ ଉପକରଣର ବନ୍ଦୋବସ୍ତ କରିବାକୁ ସ୍କୁଲଗୁଡ଼ିକୁ ନିର୍ଦେଶ ଦିଆଯାଇଛି।

“ରାଜ୍ୟର ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ସହାୟତାରେ ଶିକ୍ଷାର ମାନ ବଢ଼ିଛି। ଏହା ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ସହଜ କରିଛି। ଏବେ ଆମେ ସେହି ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ୨ ପିଲାଙ୍କ ପାଇଁ ଅନଲାଇନ ନିଟ୍ ଏବଂ ଜେଇଇ କୋଚିଂର ବ୍ୟବସ୍ଥା କରିବାକୁ ଯାଉଛୁ। ଏହା ଇଞ୍ଜିନିୟରିଂ ଓ ମେଡିକାଲ ପଢ଼ିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିବାରେ ବହୁତ ସହାୟକ ହେବ”, କହିଛନ୍ତି ରଘୁରାମ ଆର ଆୟର।

ଯେଉଁ ସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ବ୍ୟବସ୍ଥା ହୋଇନାହିଁ, ସେଠାରେ ସ୍କୁଲକୁ ମିଳିଥିବା ‘ସାମ୍ସ’ ଫଣ୍ଡକୁ ବ୍ୟବହାର କରି ଅନଲାଇନ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି।  

Tags: #HigherSecondaryEducation #NEET #JEE #FreeOnlineCoaching #Odisha

Comment