ଓଡ଼ିଶାଲାଇଭ୍ ବ୍ୟୁରୋ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ସାମାରୋହ ଉଦଘାଟିତ ହୋଇଯାଇଛି। ଏହି ତିନିଦିନିଆ ସମାବେଶକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଏହି ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ, “ଭିନ୍ନକ୍ଷମମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ସଶକ୍ତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଆବଶ୍ୟକତା ରହିଛି। କୌଣସି ଭେଦଭାବ ନରଖି ସେମାନଙ୍କୁ ସ୍ଵାବଲମ୍ବୀ କରାଇବା ବର୍ତ୍ତମାନ ସମୟରେ ବେଶ ଗୁରୁତ୍ଵପୂର୍ଣ୍ଣ। ଭିନ୍ନକ୍ଷମମାନଙ୍କର ପ୍ରତିଭା ଏବଂ ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ସେମାନଙ୍କର ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସବୁ ସ୍ତରରୁ ଉଦ୍ୟମ ହେବା ଜରୁରୀ।”

ଭୁବନେଶ୍ଵରରେ ଭିନ୍ନକ୍ଷମମାନଙ୍କ ଖେଳକୁଦର ବିକାଶ ଲାଗି ଏକ ସାଟେଲାଇଟ୍ ସେଣ୍ଟର ଖୋଲିବାକୁ ପ୍ରସ୍ତାବ ରହିଥିବା ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଥିଲେ।

ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି, ଭିନ୍ନକ୍ଷମମାନଙ୍କ କଲ୍ୟାଣ ଲାଗି ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଭିନ୍ନକ୍ଷମମାନଙ୍କୁ ସଶକ୍ତ କରିବାରେ ପିତାମାତାଙ୍କ ସହ ଶିକ୍ଷକ, ସମାଜ, ବିଭିନ୍ନ ସଂଗଠନ ଏବଂ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଉଛି। ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ପ୍ରମୁଖ ସମାବେଶରେ ଯୋଗ ଦେଇ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋକପାତ କରିଥିଲେ।

ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ବିଷ୍ଣୁପଦ ସେଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସେ କହିଥିଲେ, “ଭିନ୍ନକ୍ଷମମାନେ ଆମ ସମାଜର ସମ୍ବଳ, ସେମାନଙ୍କର ବିକାଶ ହେଲେ ସମାଜ ଆଗକୁ ବଢ଼ିବ। ଭିନ୍ନକ୍ଷମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବାରୁ ସେମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ଜୀବନଧାରାରେ ଆଖିଦୃଶିଆ ପରିବର୍ତ୍ତନ ଦେଖିବାକୁ ମିଳୁଛି।

ତିନିଦିନିଆ ସମାବେଶର ଉଦଘାଟନୀ ଉତ୍ସବ ପ୍ରାରମ୍ଭରେ ଓଏବି ଭଗବତୀ ଦୃଷ୍ଟିବାଧିକ ମଡେଲ ବିଦ୍ୟାଳୟର ବିଦ୍ୟାର୍ଥୀମାନେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ବିଭାଗୀୟ ସ୍ଵତନ୍ତ୍ର ଶାସନ ସଚିବ ଦିଲ୍ଲୀପ କୁମାର ରାୟ ସ୍ଵାଗତ ଭାଷଣ ଦେଇଥିଲେ। ଶୁଭମ ବେହେରା ଏବଂ ଅଳକା ଯୋଶୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବିଭାଗର ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଆୟୋଜିତ ୩ ଦିନିଆ ସମାବେଶ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ପ୍ରଦର୍ଶନୀରେ ୪୦ଟି ଷ୍ଟଲ ଖୋଲାଯାଇଛି। ସେହିପରି ଭିନ୍ନକ୍ଷମ ଶିଳ୍ପୀମାନଙ୍କ ଦ୍ଵାରା ଅଙ୍କା ଯାଇଥିବା ବିଭିନ୍ନ ଚିତ୍ର ଓ ପ୍ରସ୍ତୁତ କରାଯାଇଥିବା କଳାକୃତିକୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି।

ଏହି ଅବସରରେ ଦୂତୀ ଚାନ୍ଦ ଇଣ୍ଡୋର ଷ୍ଟାଡିୟମରେ ଭିନ୍ନକ୍ଷମମାନଙ୍କ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଶୁକ୍ରବାର ଦିନ ସ୍ଵତନ୍ତ୍ର ବିଦ୍ୟାଳୟ ତଥା ଅନୁଷ୍ଠାନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ପୋଖରୀପୁଟସ୍ଥିତ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନରେ ଏକ ସ୍ଵାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି। ସାଇଟସେଭର୍ସ ତଥା ସହଯୋଗୀ ସଂଗଠନଗୁଡ଼ିକର ପରିଚାଳନାରେ ଆୟୋଜିତ ସ୍ଵାସ୍ଥ୍ୟ ଶିବିରର ଉଦଘାଟନୀ ଅବସରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଓ ବିଭାଗର ଅତିରିକ୍ତ ଶାସନ ସଚିବ ସୋନିଆ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ତିନି ଦିନ ଧରି ଏହି ଶିବିର ଚାଲିବ।

Tags: #InternationalDayofPersonswithDisabilities2023 #ZeroProject2023 #IDPD #SSEPD #WecanMakeADifference

Comment