ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan
  • ମଧୁବାବୁ ପେନସନ ଯୋଜନାରେ ୫୦୦ ଟଙ୍କା ବୃଦ୍ଧି
  • ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧୦୦୦ ଟଙ୍କା
  • ଫେବ୍ରୁଆରି ୨୦ରୁ ୨୫ ତାରିଖ ମଧ୍ୟରେ ମିଳିବ ବର୍ଦ୍ଧିତ ପେନସନ ଟଙ୍କା
  • ବାର୍ଷିକ ୩,୬୮୩  କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର

ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କ ପାଇଁ ଖୁସିର ଖବର। ଏହି ଯୋଜନାରେ ମାସିକ ସହାୟତା ରାଶିରେ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନେ ସର୍ବନିମ୍ନ ପେନସନ ୧୦୦୦ ଟଙ୍କା ପାଇବେ। ହିତାଧିକାରୀମାନେ ଏହି ବର୍ଦ୍ଧିତ ପେନସନ ଫେବ୍ରୁଆରି ୨୦ରୁ ୨୫ ତାରିଖ ମଧ୍ୟରେ ପାଇବେ।

ପୂର୍ବରୁ ମଧୁବାବୁ ପେନସନ ଯୋଜନାରେ ୪୦ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ହିତାଧିକାରୀ ମାସକୁ ୫୦୦ ଟଙ୍କା ପାଉଥିଲେ। ସେହିପରି ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ହିତାଧିକାରୀଙ୍କୁ ୭୦୦ ଟଙ୍କା ଏବଂ ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଊର୍ଦ୍ଧ୍ଵ ବୟସର ହିତାଧିକାରୀଙ୍କୁ ମାସିକ ୯୦୦ ଟଙ୍କା ପ୍ରଦାନ କରାଯାଉଥିଲା।

ବର୍ତ୍ତମାନ ୫୦୦ ଟଙ୍କା ବୃଦ୍ଧି ହେବା ଫଳରେ ୫୦୦ ଟଙ୍କା ପାଉଥିବା ହିତାଧିକାରୀ ୧୦୦୦ ଟଙ୍କା, ୭୦୦ ଟଙ୍କା ପାଉଥିବା ହିତାଧିକାରୀ ୧,୨୦୦ ଟଙ୍କା ଏବଂ ୯୦୦ ଟଙ୍କା ପାଉଥିବା ହିତାଧିକାରୀ ୧,୪୦୦ ଟଙ୍କା ପାଇବେ। ଏହି ବର୍ଦ୍ଧିତ ପେନସନ ପାଇଁ ରାଜ୍ୟ ସରକାର ବାର୍ଷିକ ୩,୬୮୩ କୋଟି ଟଙ୍କା ବ୍ୟୟ  କରିବେ। 

ଗତ ୨୦୨୩ ଅଗଷ୍ଟ ମାସରେ ମଧୁବାବୁ ପେନସନ ଯୋଜନାରେ ରାଜ୍ୟର ୪ ଲକ୍ଷ ୧୪ ହଜାର ନୂଆ ହିତାଧିକାରୀ ଯୋଡ଼ି ହୋଇଥିଲେ। ଏବେ ଆଉ ୪ ଲକ୍ଷ ହିତାଧିକାରୀ ସାମିଲ ହେବା ପରେ ବର୍ତ୍ତମାନ ମୋଟ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଏହି ଯୋଜନାର ଲାଭ ପାଇବେ।

ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୦୮ ମସିହାରେ ଓଡ଼ିଶାରେ ମଧୁବାବୁ ପେନସନ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡ଼ିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, ଟ୍ରାନ୍ସଜେଣ୍ଡର,  କୋଭିଡ ଯୋଗୁଁ ଅନାଥ ହୋଇଥିବା ପିଲା ଓ ବିଧବାଙ୍କ ସହ ଅନାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି।

Tags: #MadhubabuPensionScheme #MadhubabuPensionYojana #OldAgePension #SSEPD #Odisha #OdishaGovt

Comment