ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପଠାରେ ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଭାରେ ଝଲସି ଉଠିଥିଲା ଉତ୍କଳ ମଣ୍ଡପଏହି ଅବସରରେ ଓଡ଼ିଶାର ୬ ଜଣ ପ୍ରତିଭା ଓ ପୁରୀ ଜିଲ୍ଲା ପ୍ରଶାସନକୁ ଭିନ୍ନକ୍ଷମଙ୍କ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି।

ଶନିବାର ଦିନ ଏହି ସମାରୋହକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାସ୍କର ଜ୍ୟୋତି ଶର୍ମା ଏବଂ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ଯୋଗ ଦେଇଥିଲ।

‘‘ରାଜ୍ୟ ସରକାର ଭିନ୍ନକ୍ଷମମାନଙ୍କ ଉନ୍ନତି ଲାଗି ବିଶେଷ ଦୃଷ୍ଟି ଦେଉଛନ୍ତି। କୋଭିଡ୍ ମହାମାରୀ ସମୟରେ ସେମାନଙ୍କ ଲାଗି ସ୍ଵତନ୍ତ୍ର ଚିକିତ୍ସାଳୟ ପ୍ରତିଷ୍ଠା ସହ ୪ ମାସର ଅଗ୍ରୀମ ଭତ୍ତା ପ୍ରଦାନ କରିଥିଲେ ସରକାରା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ଲାଗି ରାଜ୍ୟରେ ଅନେକ ସ୍ଵତନ୍ତ୍ର ବିଦ୍ୟାଳୟ ଓ ମହାବିଦ୍ୟାଳୟ ରହିଛି। ମେଧାବୀ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ବାଣୀଶ୍ରୀ ବୃତ୍ତି ଓ କଲେଜରେ ପଢ଼ୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ପ୍ରଦାନ କରାଯାଉଛି। ଶିକ୍ଷା ଓ ଦକ୍ଷତା ବିକାଶ ଜରିଆରେ ଭିନ୍ନକ୍ଷମମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଦେବା ଲାଗି ପ୍ରୟାସ କରୁଛନ୍ତି ସରକାର’’, କହିଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

“ଭିନ୍ନକ୍ଷମ ଏକ ଅଭିଶାପ ନୁହେଁ, ଏହା ଏକ ଅବସ୍ଥା ମାତ୍ର। ତେଣୁ ସେମାନଙ୍କ ଭିତରେ ଆତ୍ମବିଶ୍ଵାସ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା ହାତକୁ ନେଇଛନ୍ତି ଭିନ୍ନକ୍ଷମମାନଙ୍କର ଶିକ୍ଷା ଓ ଅର୍ଥନୈତିକ ପ୍ରଗତି ପାଇଁ ସ୍ଵତନ୍ତ୍ର ବିଦ୍ୟାଳୟ, ଦକ୍ଷତା ତାଲିମ ଜରିଆରେ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ କରୁଛନ୍ତି ସରକାର। ଭିନ୍ନକ୍ଷମମାନେ ନିଜକୁ ଦୁର୍ବଳ ଓ ନ୍ୟୁନ ମନେ ନକରି ସମାଜର ମୁଖ୍ୟସ୍ରୋତରେ ନିଜକୁ ସାମିଲ କରନ୍ତୁ”, କହିଛନ୍ତି ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ।

“ଆଧୁନିକ ଯୁଗରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ଜରିଆରେ ଭିନ୍ନକ୍ଷମମାନଙ୍କର ଚିକିତ୍ସା କରାଯାଇ ସେମାନଙ୍କୁ ନୂଆ ଜୀବନ ଦିଆଯାଇପାରୁଛିା ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଖୋଲାଯାଇ ରୋବୋଟିକ୍ସ ଫିଜିଓଥେରାପି ସହ ବିଭିନ୍ନ ଆଧୁନିକ ଥେରାପି ଓ କୃତ୍ରିମ ଅଙ୍ଗରୋପଣ ସୁବିଧା ପ୍ରଦାନ କରାଯାଉଛିା ଫଳରେ ଦୁର୍ଘଟଣାରେ ଅଙ୍ଗ ହରାଇ କିମ୍ବା ଅନ୍ୟ କୌଣସି କାରଣରୁ ଭିନ୍ନକ୍ଷମ ପାଲଟିଥିବା ବ୍ୟକ୍ତି ପୁଣିଥରେ ସକ୍ଷମ ଓ ସ୍ୱାଭିମାନର ଜୀବନ ବଞ୍ଚିବା ସହ ସ୍ୱାବଲମ୍ବୀ ମଧ୍ୟ ହୋଇପାରୁଛି’’, କହିଛନ୍ତି ସଚିବ ଭାସ୍କର ଜ୍ୟୋତି ଶର୍ମା।

ଡିସେମ୍ବର ୩ ତାରିଖ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଉପଲକ୍ଷେ ଶନିବାର ସକାଳେ ଏକ ସ୍ଵତନ୍ତ୍ର ଓ୍ଵାକଥନ୍ ଆୟୋଜିତ ହୋଇଥିଲା। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ଵର ମହାନଗର ନିଗମର ମେୟର ସୁଲୋଚନା ଦାସ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସଚିବ ଭାସ୍କର ଜ୍ୟୋତି ଶର୍ମା ଓ ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହି ୱାକାଥନ୍‌ ଇନ୍ଦିରା ଗାନ୍ଧୀ ପାର୍କଠାରୁ ଆରମ୍ଭ ହୋଇ ଉତ୍କଳ ମଣ୍ଡପରେ ଶେଷ ହୋଇଥିଲା। ଏଥିରେ ଭିନ୍ନକ୍ଷମ ଶିଶୁ ଓ ଭିନ୍ନକ୍ଷମ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ଓ ଜନସାଧାରଣ ଯୋଗ ଦେଇଥିଲେ।

ଏହି ସମାରୋହରେ ଦୁଇଦିନ ବ୍ୟାପୀ ରାଜ୍ୟର ବିଭିନ୍ନ ଭିନ୍ନକ୍ଷମ ପ୍ରତିଷ୍ଠାନ ଓ ସ୍ଵତନ୍ତ୍ର ବିଦ୍ୟାଳୟରୁ ଆସିଥିବା ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେମାନଙ୍କର କଳା ପ୍ରତିଭା ଦର୍ଶକମାନଙ୍କୁ ବିଭୋର କରିଥିଲା ।

Tags: #InternationaldayofPersonwithDisability #PWD #SSEPD #ଅନ୍ତର୍ଜାତୀୟଭିନ୍ନକ୍ଷମଦିବସ #ଭିନ୍ନକ୍ଷମଦିବସ

Comment