ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଛି ୨୦୨୨ ନାସନାଲ କ୍ରାଇମ ରେକର୍ଡସ୍ ବ୍ୟୁରୋ (ଏନସିଆରବି) ରିପୋର୍ଟ। ୨୦୨୧ ତୁଳନାରେ ୨୦୨୨ରେ ଓଡ଼ିଶାରେ ବିଭିନ୍ନ ପ୍ରକାର ଅପରାଧ ବଢ଼ିଥିବା ଏହି ରିପୋର୍ଟରେ କୁହାଯାଇଛି। ମହିଳା ଅସଦାଚରଣ ମାମଲାରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏନସିଆରବି ରିପୋର୍ଟ ଅନୁସାରେ ଓଡ଼ିଶାରେ ୨୦୨୧ ମସିହାରେ ୧ ଲକ୍ଷ ୫୫ ହଜାର ୪୨୦ଟି ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ ଲକ୍ଷ ୭୮ ହଜାର ୧୯୦ରେ ପହଞ୍ଚିଛି। ଏହି ଅବଧିରେ ରାଜ୍ୟରେ ୧,୩୭୯ ହତ୍ୟା ମାମଲାରେ ୧,୪୦୨ ଜଣଙ୍କର ମୃତ୍ୟୁ ହୋଇଛି।

ସେହିପରି ୨୦୨୨ରେ ଓଡ଼ିଶାରେ ୭,୩୨୭ ମହିଳା ଅସଦାଚରଣ ଏବଂ ୧୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହାସହ ରାଜ୍ୟରେ ୨୩ ହଜାର ୬୪୮ଟି ମହିଳା ବିରୋଧୀ ହିଂସା ମାମଲା ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ୨୦୨୧ରେ ରାଜ୍ୟରେ ୭,୮୯୯ଟି ଶିଶୁ ବିରୋଧୀ ଅପରାଧ ହୋଇଥିବାବେଳେ ୨୦୨୨ରେ ତାହା ୮,୨୪୦କୁ ବୃଦ୍ଧି ପାଇଛି।

୨୦୨୨ରେ ସାରା ଭାରତରେ ମହିଳା ଓ ଶିଶୁ ବିରୋଧୀ ଅପରାଧ ମାମଲାରେ ବୃଦ୍ଧି ଘଟିଛି। ଦେଶରେ ମହିଳା ବିରୋଧୀ ଅପରାଧ ୪ ପ୍ରତିଶତ ବଢ଼ିଥିବାବେଳେ ଶିଶୁ ବିରୋଧୀ ଅପରାଧ ୮.୭ ପ୍ରତିଶତ ବଢ଼ିଥିବା ରିପୋର୍ଟରେ ଦର୍ଶାଯାଇଛି।   

ଅନ୍ୟପଟେ ୨୦୨୨ରେ ଭାରତରେ ଅର୍ଥନୈତିକ ଅପରାଧ ୧୧.୧ ପ୍ରତିଶତ ଏବଂ ସାଇବର ଅପରାଧ ୨୪.୪ ପ୍ରତିଶତ ବଢ଼ିଥିବା ଏନସିଆରବି ରିପୋର୍ଟରେ କୁହାଯାଇଛି। ସେହି ସମୟରେ ଓଡ଼ିଶାରେ ୧,୯୮୩ଟି ସାଇବର ଅପରାଧ ଘଟିଛି। ରାଜ୍ୟରେ ସାଇବର ଅପରାଧର ହାର ୪.୩ ପ୍ରତିଶତ ରହିଛି।

Tags: #NCRBReport2022 #Crime #CrimeRate #Odisha #India

LEAVE A REPLY

Please enter your comment!
Please enter your name here