ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପ ବନ୍ଦରରେ ଜାହାଜରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଏବେ ଏହି କୋକେନର ମାନ ନିରୂପଣ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଏଥିପାଇଁ ଜାତୀୟ ଫରେନସିକ୍ ଲାବୋରେଟୋରିକୁ (ସିଏଫଏସଏଲ) ଏହାର ନମୁନା ପଠାଯିବ। ଏନେଇ କଷ୍ଟମସ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୋକେନର ମାନ ନିରୂପଣ ହେଲେ ଏହା କେଉଁ ଦେଶରେ ତିଆରି ହୋଇଛି ତାହା ଜଣାପଡ଼ିବ। ଏହାସହ ଅନ୍ୟାନ୍ୟ ତଥ୍ୟ ମଧ୍ୟ ସାମ୍ନାକୁ ଆସିବାର ସମ୍ଭାବନା ଥିବା କଷ୍ଟମସ୍ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଏହି ମାମଲାରେ ଏନସିବି ଓ କଷ୍ଟମସ ବିଭାଗ ପକ୍ଷରୁ ସମ୍ପୃକ୍ତ ଜାହାଜର କ୍ୟାପଟେନ ଓ ଅନ୍ୟ କର୍ମଚାରୀମାନଙ୍କୁ ପଚରାଉଚରା କରାଯାଉଛି। ତେବେ ଡଗ୍ ସ୍କ୍ୱାଡ୍ ଦ୍ଵାରା ସମ୍ପୂର୍ଣ୍ଣ ଜାହାଜର ଆଉଥରେ ଛାନଭିନ କରାଯାଇଥିଲେ ମଧ୍ୟ ଅନ୍ୟ କୌଣସି ନିଶା ଦ୍ରବ୍ୟ ମିଳି ନାହିଁ।

ପାରାଦୀପ ବନ୍ଦରକୁ ଇଣ୍ଡୋନେସିଆରୁ ଆସିଥିବା ‘ଏମଭି ଦେବୀ ପାନାମା’ ନାମକ ଜାହାଜରୁ ଶୁକ୍ରବାର ୨୨ଟି ସନ୍ଦେହଜନକ ପ୍ୟାକେଟ ମିଳିଥିଲା। ପ୍ୟାକେଟରେ ଥିବା ସାମଗ୍ରୀ ପାଉଡର ଭଳି ଦେଖାଯାଉଥିଲା। ପରେ ସବୁ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ୍ ଥିବା କଷ୍ଟମ୍ସ ଯାଞ୍ଚରୁ ଜଣାପଡ଼ିଥିଲା।

ଜାହାଜଟି ବୁଧବାର ପାରାଦୀପ ବନ୍ଦରର ଇଣ୍ଟରନାସନାଲ କାର୍ଗୋ ଟର୍ମିନାଲରେ ଲାଗିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା। ଏଥିରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ବନ୍ଦରର କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଏହାପରେ ପୋଲିସ, ସିଆଇଏସଏଫ୍, କଷ୍ଟମ୍ସ ବିଭାଗ ଓ ଡଗ୍ ସ୍କ୍ୱାଡ ଉକ୍ତ ଜାହାଜରେ ଚଢ଼ଉ କରି କୋକେନ୍ ଜବତ କରିଥିଲେ।

Tags: #ParadeepPort #Cocaine #Ship #DrugSmuggling #Odisha  

 

Comment