ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି, ମଙ୍ଗଳବାର ଦିନ ସରିବ କଟକର ଐତିହାସିକ ବାଲିଯାତ୍ରା। ଶେଷଦିନରେ ବାଲିଯାତ୍ରା ପଡ଼ିଆରେ ଅସମ୍ଭବ ଭିଡ଼ ବଢ଼ିବାର ସମ୍ଭାବନା ରହିଛି। ତେଣୁ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଭିଡ଼ ସମୟରେ ଚୋରି ହେବାର ଅଧିକ ଆଶଙ୍କା ରହିଥିବାରୁ ଟଙ୍କା ଏବଂ ମୋବାଇଲକୁ ନିଜ ଦାୟିତ୍ଵରେ ରଖିବା ସହ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟ ପଟେ ଛୋଟ ଛୁଆଙ୍କୁ ସାଙ୍ଗରେ ନେଇ ଯାଉଥିଲେ ସାବଧାନତା ଅବଲମ୍ବନ କରିବା ସହ ପିଲାଙ୍କ ଡ୍ରେସ ପକେଟରେ ପରିବାର ଲୋକଙ୍କ ମୋବାଇଲ ନମ୍ବର ରଖିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଉଛି।

ଗତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରା ଡିସେମ୍ବର ୪ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଲୋକଙ୍କ ଆଗ୍ରହକୁ ଦେଖି ଆଉ ଗୋଟିଏ ଦିନ ବାଲିଯାତ୍ରାର ଅବଧି ବଢ଼ାଇଥିଲେ ରାଜ୍ୟ ସରକାର।

ପ୍ରତିଦିନ ବାଲିଯାତ୍ରା ବୁଲିବାକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଏକାଠି ହୋଇ ମେଳାର ମଜା ନେବା ସହ ସୁଆଦିଆ ଖାଦ୍ୟ ସାଙ୍ଗକୁ, ଘରକରଣା ସାମଗ୍ରୀ, ବିଭିନ୍ନ ରାଜ୍ୟର ସ୍ଵତନ୍ତ୍ର ପୋଷାକ କିଣି ନେଉଛନ୍ତି।

ବାଲିଯାତ୍ରା ପଡ଼ିଆରେ ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଓଡ଼ିଶା ତଥା ବଲିଉଡ ଜଗତର ସ୍ଵନାମଧନ୍ୟ କଳାକାର ଦର୍ଶକଙ୍କ ମନୋରଂଜନ କରୁଛନ୍ତି। ଆଜି ଶେଷ ଦିନରେ ସ୍ଵତନ୍ତ୍ର ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ।

ବାଲିଯାତ୍ରାରେ ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଆବଶ୍ୟକତାକୁ ଗୁରୁତ୍ଵ ଦିଆଯାଇଛି। କେବଳ ଛୋଟପିଲା ନୁହଁନ୍ତି ବଡ଼ମାନେ ମଧ୍ୟ ଦୋଳିର ମଜା ଉଠାଇବା ସହ ବିଭିନ୍ନ ସାମଗ୍ରୀ ଘରକୁ କିଣି ନେଉଛନ୍ତି। ଚଳିତ ବର୍ଷ ଦର୍ଶକଙ୍କ ସଂଖ୍ୟା ବଢ଼ିବା ସହ ବେପାର ମଧ୍ୟ ବେଶ ଭଲ ହୋଇଛି।

ଏଥର ୧,୪୦୦ରୁ ଅଧିକ ଷ୍ଟଲ ପଡ଼ିଥିବାବେଳେ ଓରମାସ ପକ୍ଷରୁ ୪୦୦ରୁ ଅଧିକ ଷ୍ଟଲ ଖୋଲାଯାଇଛି। ବାଲିଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଛି ଲେଜର ଓ କଟକ-ଇନ-କଟକ ପ୍ୟାଭିଲିୟନ। ଡଷ୍ଟ ଫ୍ରି ବାଲିଯାତ୍ରା ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

କଟକର ଐତିହାସିକ ବାଲିଯାତ୍ରାରେ ଦେଖିବାକୁ ମିଳୁଛି ଓଡ଼ିଶାର କଳା, ସଂସ୍କୃତି ଏବଂ ପରାମ୍ପରାର ଝଲକ। ପ୍ରତିବର୍ଷ ବାଲିଯାତ୍ରାକୁ ଅପେଖ୍ୟା କରିରହିଥାନ୍ତି ଲକ୍ଷାଧିକ ଦର୍ଶକ। ଆଜି ସରୁଛି ବାଲିଯାତ୍ରା। ଶେଷଦିନରେ ବାଲିଯାତ୍ରାର ମଜା ନେବାକୁ ପ୍ରସ୍ତୁତ ହେଲେଣି ଲୋକ। ପୁଣି ଆଉ ଗୋଟିଏ ବର୍ଷ ବାଲିଯାତ୍ରା ପାଇଁ ଆଜିଠାରୁ ଅପେକ୍ଷା ରହିବ।

Tags: #Historicbaliyatra #cuttack #culture #odisha #Festival

Comment