ଭାସ୍କର ପରିଚ୍ଛା  

ବ୍ୟକ୍ତିଗତ ଓ ସାମୂହିକ ପ୍ରଗତି ପାଇଁ ଆଜି ବ୍ୟାଙ୍କ ବ୍ୟବସ୍ଥାର ଭୂମିକା ଅପରିହାର୍ଯ୍ୟ ହୋଇପଡ଼ିଛି। ଉଦ୍ୟମିତା, ସଞ୍ଚୟ, ଋଣ ଓ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀଙ୍କ ପାଖକୁ ସିଧାସଳଖ ସହାୟତା ପହଞ୍ଚାଇବା ନିମନ୍ତେ ବ୍ୟାଙ୍କ ସେବାର ମହତ୍ଵ ଅଧିକ ରହିଛି। ସରକାର ଏବେ ସବୁ ଲୋକଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି।

ତେବେ ବିଡ଼ମ୍ବନାର ବିଷୟ ହେଉଛି, ଦେଶର ସବୁ ପଞ୍ଚାୟତ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାଙ୍କ ସୁବିଧା ଏପର୍ଯ୍ୟନ୍ତ ପହଞ୍ଚି ନାହିଁ। ଅବଶ୍ୟ ସରକାରୀ ଚାପ ଫଳରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନେ ଧୀରେ ଧୀରେ ବ୍ୟାଙ୍କ-ସେବା ରହିତ ଇଲାକାରେ ପ୍ରବେଶ କରୁଛନ୍ତି। ମାତ୍ର ଏହି ପ୍ରକ୍ରିୟା ଅତ୍ୟନ୍ତ ମନ୍ଥର।

ସେହିପରି ଘରୋଇ ବ୍ୟାଙ୍କମାନେ ତ କେବଳ ଅଧିକ ଜମା ଓ ଋଣ ଲଗାଣ ସମ୍ଭାବନା ଥିବା ଇଲାକାରେ ଶାଖା ଖୋଲି ମଫସଲ ଅଞ୍ଚଳରୁ ଏକ ପ୍ରକାର ମୁହଁ ମୋଡ଼ି ଦେଇଛନ୍ତି। ଏ ବିଷୟରେ ଓଡ଼ିଶାର ସ୍ଥିତି ସହଜେ ଅନୁମେୟ। ରାଜ୍ୟର ୬,୭୯୮ ଟି ପଞ୍ଚାୟତ ମଧ୍ୟରୁ ୪,୩୭୩ରେ ବ୍ୟାଙ୍କ ସେବା ଏବେ ଉପଲବ୍ଧ ନାହିଁ।

ଏଭଳି ସ୍ଥିତି ଯୋଗୁଁ ଓଡ଼ିଶା ସରକାର ବ୍ୟାଙ୍କ ସେବା ନଥିବା ପଞ୍ଚାୟତମାନଙ୍କରେ ବ୍ୟାଙ୍କ ସେବା ଯୋଗାଣ ପାଇଁ ଯେଉଁ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ଦେଶରେ ଏହି ଯୋଜନା ଅଭିନବ।

ଆମ ବ୍ୟାଙ୍କ ଯୋଜନା କ’ଣ ?

ନୂଆକରି ଓଡ଼ିଶାରେ ଯେଉଁ ‘ଆମ ବ୍ୟାଙ୍କ’ ସେବା ଆରମ୍ଭ ହୋଇଛି, ସେଥିରେ ହିତାଧିକାରୀଙ୍କୁ “ସିଏସ୍‌ପି ପ୍ଲସ୍” ବ୍ୟାଙ୍କିଙ୍ଗ ସୁବିଧା ମିଳିବ। ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଯଥା ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନାସନାଲ ବ୍ୟାଙ୍କ, ୟୁନିୟନ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ଏଥିରେ ସଂପୃକ୍ତ ହୋଇଛନ୍ତି। ଯୋଜନା ଆରମ୍ଭ ହେବା ସହିତ ପ୍ରଥମ ପର୍ଯ୍ୟାୟରେ ୭୫୪ ପଞ୍ଚାୟତକୁ ଏହି ‘ଆମ ବ୍ୟାଙ୍କ’ ସେବା ଯୋଗାଇ ଦିଆଯାଇଛି।

ଗ୍ରାମାଞ୍ଚଳ ଓ ଆଭ୍ୟନ୍ତରୀଣ ଇଲାକାରେ ଏହି ବ୍ୟାଙ୍କଗୁଡ଼ିକ ଲୋକଙ୍କୁ ୧୫ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦେବେ। ସେଥିପାଇଁ ବ୍ୟାଙ୍କ ନଥିବା ସବୁ ପଞ୍ଚାୟତରେ ଆସନ୍ତା ୬ ମାସ ମଧ୍ୟରେ କଷ୍ଟମର ସର୍ଭିସ୍ ପଏଣ୍ଟ ପ୍ଲସ୍ ବା ସିଏସ୍‌ପି ପ୍ଲସ୍ କେନ୍ଦ୍ରମାନ ସ୍ଥାପନ କରାଯିବ। ଭିତ୍ତିଭୂମି ନିମନ୍ତେ ରାଜ୍ୟ ସରକାର ୩ ବର୍ଷ ପାଇଁ ଏହି ବ୍ୟାଙ୍କକେନ୍ଦ୍ରମାନଙ୍କୁ ସ୍ଥାନ, ବିଜୁଳି, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବେ।

କୌଣସି ଏକ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ଏହାର ନିଖୁଣ ରୂପାୟନ, ତଦାରଖ ବ୍ୟବସ୍ଥା ଓ ସମୟମିଆଦ ବିଶେଷ ଗୁରୁତ୍ୱ ରଖେ। ଏହି ସେବାର ଗୁରୁତ୍ଵକୁ ଉପଲବ୍ଧି କରି ‘ଆମ ବ୍ୟାଙ୍କ’କୁ ରାଜ୍ୟ ସରକାର ‘୫-ଟି’ ପ୍ରକରଣର ଅନ୍ତର୍ଭୁକ୍ତ କରିଛନ୍ତି।

ଏହି ନୂତନ ପ୍ରକ୍ରିୟାରେ ଦୂରଦୂରାନ୍ତର ଲୋକେ ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେଲେ ସେମାନଙ୍କ ବ୍ୟାଙ୍କ ଖାତାକୁ ସହଜରେ କାଳିଆ, ମମତା, ମଧୁବାବୁ ଆଦି ଯୋଜନାର ଭତ୍ତା ଓ ଅର୍ଥରାଶି ସିଧାସଳଖ ପଠା ଯାଇପାରିବ ଏବଂ ଏହି ଅର୍ଥ ପ୍ରେରଣ ପ୍ରକ୍ରିୟା ସ୍ୱଚ୍ଛ ତଥା ତ୍ୱରିତ ହୋଇପାରିବ।

“ଆମ ବ୍ୟାଙ୍କ” ଯୋଜନା ଆରମ୍ଭ ପଛରେ ଗୋଟିଏ ବଡ଼ କାରଣ ହେଲା, ରାଜ୍ୟର ବହୁ ଦୂରଦୂରାନ୍ତ ଅଞ୍ଚଳରୁ ବହୁ ସଂଖ୍ୟାରେ ବିଭିନ୍ନ ସମାବେଶୀ ଯୋଜନାର ହିତାଧିକାରୀମାନେ ବାରମ୍ବାର ଅଭିଯୋଗ ଆଣିଥିଲେ ଯେ ପଞ୍ଚାୟତ ସ୍ତରରେ ମଧ୍ୟ ବ୍ୟାଙ୍କ୍ ସେବା ସବୁ ଜାଗାରେ ଉପଲବ୍ଧ ନଥିବାରୁ, ସେମାନେ ଯୋଜନାର ଲାଭ ପାଇପାରୁନାହାନ୍ତି। ରାଜ୍ୟ ସରକାର ଏହି ଅସୁବିଧା ସଂପର୍କରେ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ମଧ୍ୟ କିଛି ସୁଫଳ ମିଳି ପାରୁନଥିଲା।

ନିକଟ ଅତୀତରେ ନୂଆ ରେଳ ଲାଇନ୍ ନିର୍ମାଣ ଯୋଜନା, ରାଜଧାନୀ ମେଟ୍ରୋ ପ୍ରକଳ୍ପ ଓ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଆଦି କ୍ଷେତ୍ରରେ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ କାଳକ୍ଷେପଣ ନୀତିକୁ ଏଡ଼ାଇବାକୁ ଯାଇ ଏହି ପ୍ରକଳ୍ପଗୁଡ଼ିକ ନିଜ ଖର୍ଚ୍ଚରେ କାର୍ଯ୍ୟକାରୀ କରାଉଛନ୍ତି। ସେହିପରି ବ୍ୟାଙ୍କ ଶାଖା ଖୋଲିବା ନୀତି ନିୟମର କଟକଣାକୁ ଏଡ଼ାଇବାପାଇଁ ଏହି ଅଭିନବ “ଆମ ବ୍ୟାଙ୍କ” ଯୋଜନା ଆରମ୍ଭ କରାଯାଇଛି।

ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସମାବେଶୀ କରିବାକୁ ହେଲେ ଆନୁଷ୍ଠାନିକ ବ୍ୟାଙ୍କ ବ୍ୟବସ୍ଥା ନିହାତି ଜରୁରୀ। ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସବୁ ଯେଉଁ ଢଙ୍ଗରେ ଶାଖା ବିସ୍ତାର କରୁଛନ୍ତି, ସେଥିରେ ରାଜ୍ୟର ସବୁ ପଞ୍ଚାୟତରେ ବ୍ୟାଙ୍କ ସେବା ପହଞ୍ଚିବାକୁ ଅତିକମ୍‌ରେ ତିନି ଦଶନ୍ଧି ଲାଗିବ। ତେଣୁ ଏକ ବିକଳ୍ପ ବ୍ୟବସ୍ଥାରେ ଯଦି ୬ ମାସ ମଧ୍ୟରେ ଏହି ସେବା ଲୋକଙ୍କୁ ଯୋଗାଇ ଦେଇ ହେବ, ତା’ଠାରୁ ଆଉ ଭଲ କଥା କିଛି ନାହିଁ। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ, ଯେଉଁଠାରେ ଏଭଳି ଅଭିନବ ଯୋଜନା କାର୍ଯ୍ୟକାରୀ କରିଛି।

Tags: #AmaBank #BankingServices #RuralAreas #Panchayat #Odisha

Comment