ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ମିଗଜୋମ ପ୍ରଭାବରେ ଓଡ଼ିଶାରେ ବଦଳିଛି ପାଣିପାଗ। ଅଦିନିଆ ବର୍ଷା ଯୋଗୁଁ ସାରା ରାଜ୍ୟରେ ଥଣ୍ଡା ବଢ଼ିଯାଇଛି। ରାଜ୍ୟର ହାରାହାରି ତାପମାତ୍ରା ଦୁଇ ଦିନରେ ୫ ଡିଗ୍ରୀ କମିଛି। ଆଗକୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାତ୍ୟା ଯୋଗୁଁ ରାଜ୍ୟରେ ଥଣ୍ଡା ପବନ ଜାରି ରହିଛି। ଏହା ଶୀତର ମାତ୍ରାକୁ ଆହୁରି ବଢ଼ାଉଛି, ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି।

ଗୁରୁବାର ସକାଳେ କୋରାପୁଟରେ ୧୨.୫ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କିରେଇରେ ୧୪.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୫ ଡିଗ୍ରୀ, ଅନୁଗୁଳ, ଫୁଲବାଣୀ ଓ ବୌଦ୍ଧରେ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ବାତ୍ୟା ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ଖାସକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇଛି। କୋରାପୁଟରେ ୬୪ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ସେହିପରି ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଷ ଜମିରେ ପାଣି ପଶିଯାଇଛି। ଏଥିଲାଗି ଅମଳ ହୋଇନଥିବା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଏହଛଡ଼ା ଗୁରୁବାର ଲଗାଣ ବର୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ସବୁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। 

Tags: #Cyclone #Rainfall #ColdWeather #MICHAUNG #MIGJAUM #Odisha

LEAVE A REPLY

Please enter your comment!
Please enter your name here