ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ, ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ଚଢ଼ଉ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ବଲାଙ୍ଗୀରର ବଳଦେବ ସାହୁ ଆଣ୍ଡ ଗ୍ରୁପ ଅଫ କମ୍ପାନିର ବଲାଙ୍ଗୀର କାର୍ଯ୍ୟାଳୟରେ ଚଢ଼ଉ ବେଳେ ଆୟକର ବିଭାଗ ଅଧିକାରୀଙ୍କୁ ମିଳିଛି ୨୦୦ କୋଟିରୁ ଅଧିକ ଟଙ୍କା।

ଗୋଟିଏ ଆଲମିରା ଭିତରେ ଥାକ ମରାହୋଇ ରହିଥିଲା ବିଡ଼ା ବିଡ଼ା ଟଙ୍କା। ଚଢ଼ଉ ବେଳେ ଆୟକର ବିଭାଗକୁ ଯେତିକି ଟଙ୍କା ମିଳିଛି ତାକୁ ଗଣିବା ପାଇଁ ଏକ ସପ୍ତାହ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଟଙ୍କା ଜବତ ହେବା ପରେ ଏହାକୁ ବୁଧବାର ରାତିରେ ଗଣତି ପାଇଁ ବଲାଙ୍ଗୀରସ୍ଥିତ ଏସବିଆଇର ମୁଖ୍ୟ ଶାଖାକୁ ସ୍ଥାନାନ୍ତର କରାଯାଇଥିଲା।

ଆୟକର ଫାଙ୍କିବା ଅଭିଯୋଗରେ ବୁଧବାର ଦିନ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ ଏବଂ ପୁରୁଣାକଟକସ୍ଥିତ ରାଣୀଶକ୍ତି ରାଇସ ମିଲରରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହା ସହ ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ଏକାଧିକ ମଦ ବ୍ୟବସାୟୀଙ୍କ ଉପରେ କାରଖାନା, କାର୍ଯ୍ୟାଳୟ ଏବଂ ଘରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ସାମିଲ ହୋଇଥିଲେ ଆୟକର ବିଭାଗର ୩୦ ଜଣିଆ ଟିମ୍। ଏହି ଲିଙ୍କରେ କୋଲକାତା ଏବଂ ରାଞ୍ଚିରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଥିଲା।  

Tags: #Boudh #ITRaid #Balangri #CashSeized #Odisha

Comment