ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ, ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଆୟକର ବିଭାଗର ଚଢ଼ଉ ଆଜି ତୃତୀୟ ଦିନରେ ପହଞ୍ଚିଛି। ପ୍ରଥମ ଦିନ ଚଢ଼ଉ ବେଳେ ବଲାଙ୍ଗୀରର ବଳଦେବ ସାହୁ ଆଣ୍ଡ ଗ୍ରୁପ ଅଫ କମ୍ପାନିର ବଲାଙ୍ଗୀର କାର୍ଯ୍ୟାଳୟରେ ଚଢ଼ଉ ବେଳେ ଆୟକର ବିଭାଗ ଅଧିକାରୀଙ୍କୁ ମିଳିଲା ପୁଳାପୁଳା ଟଙ୍କା।

ବର୍ତ୍ତମାନ ସୁଦ୍ଧା ୫୦୦ କୋଟିରୁ ଅଧିକ ଟଙ୍କାର ଗଣତି ସରିଥିବାବେଳେ ଜବତ ଟଙ୍କା ଗଣତି ସାରିବାକୁ ଆହୁରି ସମୟ ଲାଗିବ ବୋଲି କୁହାଯାଉଛି।

ବୁଧବାର ଦିନ ଚଢ଼ଉ ବେଳେ ପାଞ୍ଚଟି ଆଲମିରାରେ ଥାକମରା ହୋଇ ରହିଥିବା ନୋଟ ବିଡ଼ା ଆୟକର ବିଭାଗ ଜବତ କରିଥିବାବେଳେ ଗୁରୁବାର ଦିନ ୬୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ମିଳିଥିଲା। ଶୁକ୍ରବାର ତୃତୀୟ ଦିନରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚଢ଼ଉ ଜାରି ରହିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିତିରିକଟାସ୍ଥିତ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡରେ ଚଢ଼ଉ ଜାରି ରହିଥିବାବେଳେ ପୁଳାପୁଳା ଚିରା ନୋଟ କାରଖାନା ବାହାରେ ପଡ଼ିଥିବା ଦେଖିବାକୁ ମିଳିଛି।

ମଦ ବେପାରୀଙ୍କଠାରୁ ଜବତ ହୋଇଥିବା ଏତେ ପରିମାଣର ଟଙ୍କାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ହଟଚମଟ। ଏହି ଘଟଣାରେ ଶୁକ୍ରବାର ଦିନ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଦ ବ୍ୟବସାୟୀଙ୍କଠାରୁ ୨୦୦ କୋଟି ଟଙ୍କା ଜବତ ହେବା ଖବର ରହିଥିବା ଏକ ଖବରକାଗଜର ପ୍ରଥମ ପୃଷ୍ଟାକୁ ନିଜ ସୋସିଆଲ ମିଡିଆ ପେଜରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ।

ଏହା ସହ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, “ଦେଶବାସୀ ଏହି ନୋଟ ପାହାଡ଼କୁ ଦେଖନ୍ତୁ ଏବଂ ସେମାନଙ୍କ ନେତାମାନଙ୍କ ସଚ୍ଚୋଟ ପଣିଆର ଭାଷଣ ଶୁଣନ୍ତୁ। ଜନତାଙ୍କଠାରୁ ଯାହା ଲୁଟ ହୋଇଛି ତା’ର କଡ଼ାଗଣ୍ଡା ଫେରସ୍ତ କରିବାକୁ ହେବ। ଏହା ମୋଦୀର ଗ୍ୟାରେଣ୍ଟି।”

ଏଣେ ଏହି ଘଟଣାରେ ଝାରଖଣ୍ଡରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଧୀରଜ ସାହୁଙ୍କର ୧୦ଟି ଠିକଣାରେ ଶୁକ୍ରବାର ଦିନ ଚଢ଼ଉ ଜାରି ରହିଛି। ଆୟକର ବିଭାଗ। ବର୍ତ୍ତମାନ ଓଡ଼ିଶାର ୨୦ସ୍ଥାନ, କୋଲକାତା ଏବଂ ଝାରଖଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି।

ନିର୍ବାଚନ ପରିଚାଳନା ପାଇଁ ଏହି ଟଙ୍କା ରଖାଯାଇଥିବା ବିଜେପି ଅଭିଯୋଗ କରିବା ସହ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରିଛି।

Tags: #Boudh #ITRaid #Balangri #CashSeized #Odisha #RanishaktiRiceMill #Politics

Comment