ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟକର ଫାଙ୍କିବା ଅଭିଯୋଗରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରିଥିଲା ଆୟକର ବିଭାଗ। ଏହି ଚଢ଼ଉ ବେଳେ ଆୟକର ବିଭାଗକୁ ଯେତିକି ନଦଗ ଟଙ୍କା ମିଳିଲା ତାହା ସମସ୍ତଙ୍କୁ କାବା କରିଦେବା ଭଳିଆ। ଜବତ ଟଙ୍କାର ପରିମାଣ ଏତେ ଯେ, ଏହାକୁ ଗଣିଗଣି ଟଙ୍କାଗଣା ମେସିନ ବି ଅଚଳ ହୋଇପଡ଼ୁଛି।

ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ, ବଲାଙ୍ଗୀର ଏବଂ ଟିଟିଲାଗଡ଼ରେ ବୁଧବାରଠାରୁ ଆରମ୍ଭ ହୋଇଥିଲା ଆୟକର ବିଭାଗର ଚଢ଼ଉ। ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ଦ୍ଵିତୀୟ ଦିନରେ ବଲାଙ୍ଗୀରର ବଳଦେବ ସାହୁ ଆଣ୍ଡ ଗ୍ରୁପ ଅଫ କମ୍ପାନିର ବଲାଙ୍ଗୀର କାର୍ଯ୍ୟାଳୟରେ ଚଢ଼ଉ ବେଳେ ଆୟକର ବିଭାଗ ଅଧିକାରୀଙ୍କୁ ମିଳିଥିଲା୨୦୦ କୋଟିରୁ ଅଧିକ ଟଙ୍କା। ପରେ ଏହି ଟଙ୍କାର ପରିମାଣ ବଢ଼ି ୫୦୦ କୋଟିରେ ପହଞ୍ଚିଥିଲା। ସମ୍ପୂର୍ଣ୍ଣ ଗଣତି ବେଳକୁ ଏହାର ପରିମାଣ କେତେରେ ପହଞ୍ଚିବ ତାହା କଳ୍ପନା ବାହାରେ।

ଆୟକର ଚଢ଼ଉ ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୭୬ ପ୍ୟାକେଟ ନୋଟ ଜବତ ହୋଇଥିବା ବଲାଙ୍ଗୀର ଏସବିଆଇ ଶାଖା ରିଜିଓନାଲ ମ୍ୟାନେଜର ସୂଚନା ଦେଇଛନ୍ତି। ଟଙ୍କା ଗଣତି ପାଇଁ ନିୟୋଜିତ ହୋଇଛନ୍ତି ପ୍ରାୟ ୫୦ ଜଣ କର୍ମଚାରୀ। ଏହା ସହ ଟଙ୍କା ଗଣତି ପାଇଁ ଲାଗିଛି ୨୫ଟି ମେସିନ। ଆହୁରି ଟଙ୍କା ଗଣତି ମେସିନ ମଗାଯାଇଛି। ଏତେ ଗୁଡ଼ିଏ ଟଙ୍କା ହୋଇଥିବାରୁ ଏହାକୁ ଗଣତି କରି କରି ମେସିନଗୁଡ଼ିକ ଗରମ ହେବା ସହ ଅଚଳ ହୋଇପଡ଼ୁଥିବା ରିଜିଓନାଲ ମ୍ୟାନେଜର କହିଛନ୍ତି।

ଜବତ ଟଙ୍କା ମଧ୍ୟରେ ଶହେରୁ ୫ଶହ ଟଙ୍କିଆ ନୋଟ ରହିଛି। ବର୍ତ୍ତମାନ ସୁଦ୍ଧା ଗଣତି ଟଙ୍କା ମଧ୍ୟରେ କୌଣସି ନକଲି ଟଙ୍କା ମିଳିନାହିଁ ବୋଲି ସେ କହିଛନ୍ତି।

ଅନ୍ୟପଟେ ହାଇଦ୍ରାବାଦରୁ ୨୫ ଜଣିଆ ଅନାଲିସିସ ଟିମ ଯାଞ୍ଚ କରବାକୁ ବଲାଙ୍ଗୀରରେ ପହଞ୍ଚିଛି। ଏହି ଟିମ୍ ଚଢ଼ଉ ବେଳେ ଜବତ ହୋଇଥିବା କମ୍ପ୍ୟୁଟରର ଯାଞ୍ଚ କରିବ। ଏହି ବଡ଼ ଧରଣର ଚଢ଼ଉରେ ଆୟକର ବିଭାର ୧୫୦ ଜଣ ଅଧିକାରୀ ସାମିଲ ହୋଇଛନ୍ତି।

ଶୁକ୍ରବାର ଦିନ ବଲାଙ୍ଗୀର ସୁଦପଡ଼ା ମଦଭାଟି ମ୍ୟାନେଜରଙ୍କ ଘରେ ଚଢ଼ଉ ବେଳେ ପ୍ରାୟ ୫୦ କୋଟି ଟଙ୍କା ଜବତ ହୋଇଛି। ଜବତ ଟଙ୍କାକୁ ୧୯ଟି ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଏସବିଆଇ ଶାଖାକୁ ନିଆଯାଇଛି। ଟଙ୍କା ପେଟି ବୋହିବାକୁ ପ୍ରାୟ ୮ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ।

ଏହି ଘଟଣା ଏବେ କେବଳ ଓଡ଼ିଶାରେ ନୁହେଁ ସାରା ଭାରତ ବର୍ଷରେ ଚର୍ଚ୍ଚା ବିଷୟ ପାଲଟିଛି। ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ ହେବାକୁ ଲାଗିଛି। ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛି ବିଜେପି।

Tags: #Boudh #ITRaid #Balangri #CashSeized #Odisha #Politics

Comment