ଓଡ଼ିଶାଲାଇଭ୍ ବ୍ୟୁରୋ

ପାରାଦୀପ ବନ୍ଦରରେ ଜାହାଜରୁ ଜବତ ହୋଇଥିବା ୨୨୦ କୋଟି ଟଙ୍କାର କୋକେନକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଖୁବ ଶୀଘ୍ର ଏହି ଘଟଣା ଉପରୁ ପରଦା ହଟିବାକୁ ଯାଉଛି। ଭାଷାଗତ ସମସ୍ୟା ପାଇଁ ଏହି ତଦନ୍ତ ଆଗକୁ ବଢ଼ିବାରେ ସମସ୍ୟା ହେଉଥିବାରୁ ଅନୁବାଦକଙ୍କ ସହଯୋଗ ନିଆଯାଇଛି।

ଭେସେଲର ସମସ୍ତ କ୍ରିୟୁ ମେମ୍ବର ଭିଏତନାମର ହୋଇଥିବାରୁ ଭାଷାଗତ ସମସ୍ୟା ଯୋଗୁଁ ତଦନ୍ତରେ ସମସ୍ୟା ହେଉଥିଲା। ଏହି ତଦନ୍ତରେ ସହଯୋଗ କରିବାକୁ ଦୁଇଜଣ ଅନୁବାଦକ ଆସିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଅନୁବାଦକ ଅଛନ୍ତି।

ଡିସେମ୍ବର ୧ ତାରିଖ ପାରାଦୀପ ବନ୍ଦରକୁ ଇଣ୍ଡୋନେସିଆରୁ ଆସିଥିବା ‘ଏମଭି ଦେବୀ ପାନାମା’ ନାମକ ଜାହାଜରୁ ୨୨ଟି ସନ୍ଦେହଜନକ ପ୍ୟାକେଟ ମିଳିଥିଲା। ପ୍ୟାକେଟରେ କିଛି ପାଉଡର ଭଳି ସାମଗ୍ରୀ ଥିବା କୁହାଯାଉଥିଲା। ସମସ୍ତ ୨୨ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ୍ ଥିବା କଷ୍ଟମ୍ସ ଯାଞ୍ଚରୁ ଜଣାପଡ଼ିଥିଲା।

ଜାହାଜଟି ଗତ ନଭେମ୍ବର ୨୯ ତାରିଖ ପାରାଦୀପ ବନ୍ଦରର ଇଣ୍ଟରନାସନାଲ କାର୍ଗୋ ଟର୍ମିନାଲରେ ଲାଗିଥିଲା। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ ପରେ ତାହା ଡେନମାର୍କ ଅଭିମୁଖେ ଯାଇଥାନ୍ତା। ଏଥିରେ ଷ୍ଟିଲ ପ୍ଲେଟ ବୋଝେଇ କରିବା ନିମନ୍ତେ ବନ୍ଦରର କ୍ରେନ୍‌ ଅପରେଟର ଜାହାଜର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବା ପରେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଏହାପରେ ପୋଲିସ, ସିଆଇଏସଏଫ୍, କଷ୍ଟମ୍ସ ବିଭାଗ ଓ ଡଗ୍ ସ୍କ୍ୱାଡ ସମ୍ପୃକ୍ତ ଜାହାଜରେ ଚଢ଼ଉ କରିଥିଲେ। ସେଠାରୁ ସେମାନଙ୍କୁ ୨୨ଟି ପ୍ୟାକେଟ ମିଳିଥିଲା। ଜାହାଜରୁ ‘କୋକେନ୍’ ମିଳିଥିବା ସ୍ପଷ୍ଟ ହେବାପରେ ଏହାର ସବୁ କର୍ମଚାରୀଙ୍କୁ ବାହାର କରିଦିଆଯାଇଥିଲା। ସେମାନଙ୍କୁ କଷ୍ଟମ୍ସ ବିଭାଗ ପକ୍ଷରୁ ପଚରାଉଚରା କରାଯାଉଛି।

ଜାହାଜରେ କୋକେନ୍ କେଉଁଠୁ ଆସିଲା ଏବଂ ଏହା ପଛରେ କାହାର ହାତ ଅଛି ସେ ବିଷୟରେ ଅଧିକ ଜାଣିବା ପାଇଁ ଏବେ ତଦନ୍ତ ଚାଲିଛି।  

ଅନ୍ୟ ପଟେ ଜବତ କୋକେନର ମାନ ନିରୂପଣ କରିବା ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଏଥିପାଇଁ ଜାତୀୟ ଫରେନସିକ୍ ଲାବୋରେଟୋରିକୁ (ସିଏଫଏସଏଲ) ଏହାର ନମୁନା ପଠାଯାଇଛି।

Tags: #ParadeepPort #Cocaine #Ship #DrugSmuggling #Odisha #VietnameseTranslators

Comment