ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟକର ଠକେଇ ଅଭିଯୋଗରେ ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରି ଟଙ୍କାର ପାହାଡ଼ ଠାବ କରିଥିଲା ଆୟକର ବିଭାଗ। ମେସିନ ଓ ମଣିଷ ପାଞ୍ଚଦିନ ଧରି ଜବତ ସବୁ ଟଙ୍କାକୁ ଗଣିଗଣି ହାଲିଆ ହୋଇଥିଲେ। ଏବେ ଗଣତି ସରି ମୋଟ ୩୪୮ କୋଟି ଟଙ୍କା ମିଳିଛି।

ମୋଟ ୩୪୮ କୋଟି ଟଙ୍କା ମଧ୍ୟରୁ କେବଳ ବଲାଙ୍ଗିରରୁ ୩୦୫ କୋଟି ଟଙ୍କା ରହିଛି। ସେହିପରି ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ଟଙ୍କା ରହିଛି।

ଆୟକର ଠକେଇ ଅଭିଯୋଗରେ ବଲାଙ୍ଗିର, ଟିଟିଲାଗଡ଼, ସୁନ୍ଦରଗଡ଼ ଏବଂ ବୌଦ୍ଧ ଜିଲ୍ଲାରେ ଥିବା ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରେ ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିଲା ଆୟକର ବିଭାଗ ଚଢ଼ଉ। ଦ୍ଵିତୀୟ ଦିନରେ ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରୁ ପାଞ୍ଚଟି ଆଲମିରାରେ ରହିଥିବା ଟଙ୍କାକୁ ଦେଖି ତାଜୁବ ହୋଇଥିଲେ ଆୟକର ବିଭାଗ କର୍ମଚାରୀ। ସୁଦପଡ଼ା ମଦ ବ୍ୟବସାୟୀଙ୍କଠାରୁ ମିଳିଥିଲା ୧୭୫ ବ୍ୟାଗ ଟଙ୍କା।

ଏତେ ସାରା ଟଙ୍କା କେବଳ କର୍ମଚାରୀଙ୍କ ଦ୍ଵାରା ଗଣତି ହେବା ସମ୍ଭବପର ନଥିବାରୁ ଗଣତି କାମରେ ମେସିନ ବ୍ୟବହାର କରାଯାଇଥିଲା। ଟଙ୍କା ଗଣିଗଣି ମେସିନ ଗରମ ହେବା ସହ ବାରମ୍ବାର ଅଚଳ ହୋଇପଡ଼ୁଥିଲା। ଶନିବାର ଏବଂ ରବିବାର ଛୁଟିଥିଲେ ମଧ୍ୟ ବ୍ୟାଙ୍କ କର୍ମଚାରୀ ଟଙ୍କା ଗଣତି କାମରେ ନିୟୋଜିତ ହୋଇଥିଲେ। ଦୀର୍ଘ ପାଞ୍ଚଦିନର ଗଣତି ପରେ ସବୁ ଟଙ୍କାର ଗଣତି ଶେଷ ହୋଇଥିଲା।

ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଏତେ ଟଙ୍କା କାହାର ଏବଂ କେଉଁଠୁ ଆସିଲା ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି। ଏହି ରହସ୍ୟ ଉପରୁ ପରଦା ହଟାଇବାକୁ ଆୟକର ବିଭାଗର ଖୋଳତାଡ଼ ଜାରି ରହିଛି। ତେବେ ବଲଙ୍ଗିର ଜିଲ୍ଲା ମଦ ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରା କରାଯାଉଛି।

ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପାଇଥିବା ମୋଟ ୩୪୮ କୋଟି ଟଙ୍କା ସହ ଝାରଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି। ଧୀରଜ ସାହୁଙ୍କ ବିଭିନ୍ନ ଠିକଣା ଉପରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି।

Tags: #Boudh #ITRaid #Balangri #CashSeized #Odisha #RanishaktiRiceMill

Comment