ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ତଳକୁ ଖସୁଛି। ସୋମବାର ରାତିରେ ରାଜ୍ୟର ୪ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଆଗକୁ ଥଣ୍ଡା ଆହୁରି ବଢ଼ିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ବୋହୁଥିବାରୁ ଅଧିକ ଶୀତ ଅନୁଭୂତ ହେଉଛି। ଅନେକ ସ୍ଥାନରେ କୁହୁଡ଼ି ମଧ୍ୟ ପଡ଼ୁଥିବାର ଦେଖାଦେଉଛି। ତେବେ ଆହୁରି ୩ରୁ ୪ ଦିନ ଯାଏଁ ରାଜ୍ୟରେ ଶୀତଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ସେହିପରି ସୋମବାର ରାତିରେ ଜି.ଉଦୟଗିରିରେ ୭.୨ ଡିଗ୍ରୀ ସହ ରାଜ୍ୟ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏହାଛଡ଼ା କେନ୍ଦୁଝର ଓ କିରେଇରେ ୯.୪ ଡିଗ୍ରୀ ଏବଂ ଦାରିଙ୍ଗବାଡ଼ିରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।

ଓଡ଼ିଶାର ଅନ୍ୟସ୍ଥାନଗୁଡ଼ିକ ମଧ୍ୟରେ ଫୁଲବାଣୀରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୧ ଡିଗ୍ରୀ, କୋରାପୁଟରେ ୧୧.୨ ଡିଗ୍ରୀ ଏବଂ ରାଉରକେଲାରେ ୧୧.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଟ୍ଵିନସିଟିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି। ସୋମବାର ରାତିରେ କଟକର ତାପମାତ୍ରା ୧୪.୫ ଡିଗ୍ରୀ ରହିଥିବାବେଳେ ଭୁବନେଶ୍ଵରର ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

Tags: #ColdWave #Winter #NightTemperature #WeatherUpdates #MCBBSR #Odisha

Comment