ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ତାପମାତ୍ରା ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରୀକୁ ଖସି ଆସୁଛି। ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମଙ୍ଗଳବାର ସବୁଠାରୁ ଶୀତୁଆ ସହର ପାଲିଟିଥିଲା ଜି. ଉଦୟଗିରି। ଏଠାରେ ରାତି ତାପମାତ୍ରା ସର୍ବନିମ୍ନ ୮.୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି କିରେଇର ରାତି ତାପମାତ୍ରା ସର୍ବନିମ୍ନ ୯.୨ ଡିଗ୍ରୀ ରହିଥିବାବେଳେ କେନ୍ଦୁଝରର ୯.୬ ଡିଗ୍ରୀ, ଦାରିଙ୍ଗବାଡ଼ି ଏବଂ ଫୁଲବାଣୀରେ ୧୦ ଡିଗ୍ରୀ ରହିଥିଲା। ରାଜ୍ୟର ଅନ୍ୟ ସବୁ ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀରୁ ୧୭ ଡିଗ୍ରୀ ମଧ୍ୟରେ ରହିଥିଲା।

ରାଜ୍ୟରେ ଶୀତର ପ୍ରଭାବ ନେଇ ଆସନ୍ତା ଦୁଇ ଦିନ ପାଇଁ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଡିସେମ୍ବର ୧୪ ତାରିଖରେ ଫୁଲବାଣୀର ରାତି ତାପମାତ୍ରା ସର୍ବନିମ୍ନ ୧୦ ଡିଗ୍ରୀ ରହିବ। ସେହିପରି ଅନୁଗୁଳ, ସୁନ୍ଦରଗଡ଼ ଏବଂ ବଲାଙ୍ଗୀରରେ ରାତି ତାପମାତ୍ରା ସର୍ବନିମ୍ନ ୧୧ ରହିବା ନେଇ ପୂର୍ବାନୁମାନ କରାଯାଇଛି। ବାରିପଦା, ରାଉରକେଲା, କୋରାପୁଟ, ଭବାନୀପାଟଣା ଏବଂ ବୌଦ୍ଧରେ ରାତିର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି।

ଏହା ସହିତ ସୋନପୁର, ସମ୍ବଲପୁର, ବାଲେଶ୍ଵର ଏବଂ ନବରଙ୍ଗପୁରରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ଟିଟିଲାଗଡ଼ ଏବଂ ଜଗତସିଂହପୁରରେ ୧୪ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ଏହା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ରୁ ୧୯ ଡିଗ୍ରୀ ମଧ୍ୟରେ ରହିବ।

ଆସନ୍ତା ଡିସେମ୍ବର ୧୫ ତାରିଖ ପାଇଁ କରାଯାଇଥିବା ଆକଳନ ଅନୁସାରେ ଫୁଲବାଣୀରେ ରାତିର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିବ। ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିବ। ସେହିପରି ରାଉରକେଲା, ବାରିପଦା, ବୌଦ୍ଧ, ବଲାଙ୍ଗିର, ଭବାନୀପାଟଣାରେ ରାତିର ତାପମାତ୍ରା ୧୧ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କୋରାପୁଟ, ସମ୍ବଲପୁର ଏବଂ ସୋନପୁରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ରହିବ ଏବଂ ଦେବଗଡ଼, ଟିଟିଲାଗଡ଼ ଓ ନବରଙ୍ଗପୁରରେ ରାତି ତାପମାତ୍ରା ୧୩ ଡଗ୍ରୀ ରହିବା ନେଇ ଆକଳନ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ରାତି ତାପମାତ୍ରା ୧୪ରୁ ୧୯ ଡିଗ୍ରୀ ମଧ୍ୟରେ ରହିବା ନେି ଆକଳନ କରାଯାଇଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Tags: #Weather #WeatherUpdates #ColdWave #NightTemperature #Odisha

Comment