ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରାଇମବ୍ରାଞ୍ଚ ଏସଟିଏଫ କବ୍ଜାରେ କଶ୍ମୀରର ମୋଷ୍ଟ ଓ୍ଵାଣ୍ଟେଡ ସଇଦ ଈଶାନ ବୁଖାରୀ। କେତେବେଳେ ନିଜକୁ ଡାକ୍ତର ତ କେତେବେଳେ ପିଏମଓ ଅଫିସର କର୍ମଚାରୀ ଭାବେ ପରିଚୟ ଦେଇ ଦୀର୍ଘ ୫ ବର୍ଷ ଧରି ଯାଜପୁରରେ ରହିଆସୁଥିବା ଈଶାନ ବୁଖାରୀଙ୍କୁ ଶନିବାର ଦିନ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଏନେଇ ସୂଚନା ଦେଇଛନ୍ତି କ୍ରାଇବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ।

୨୦୧୮ ମସିହାରୁ ନିଜକୁ ଜଣେ ଡାକ୍ତର ଭାବେ ପରିଚୟ ଦେଇ ଯାଜପୁରର ଧର୍ମଶାଳା ଅଞ୍ଚଳରେ ଭଡ଼ାଘର ନେଇ ରହିଆସୁଥିଲେ ଈଶାନ ବୁଖାରୀ। ଈଶାନଙ୍କ ଘର କଶ୍ମୀରା କୁପଓ୍ଵାଡାରେ। ବିଭିନ୍ନ ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ କଶ୍ମୀର ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ ତାଲିକାରେ ଈଶାନର ନାଁ ରହିଛି। ପାକିସ୍ତାନ ଆତଙ୍କବାଦୀଙ୍କ ସହ ଈଶାନଙ୍କର ସମ୍ପର୍କ ରହିଥିବା କୁହାଯାଉଛି।

ପୋଲିସଠାରୁ ନିକୁ ବଞ୍ଚାଇବା ପାଇଁ ଈଶାନ କଶ୍ମୀର ଛାଡ଼ି କେରଳ ପଳାଇଥିଲେ। ପରେ ନିଜର ପରିଚୟ ବଦଳାଇ ଭିନ୍ନ ସ୍ଥାନରେ ରହୁଥିଲେ। ୨୦୧୮ ମସିହାରୁ ସଇଦ ଈଶାନ ବୁଖାରୀ ଧର୍ମଶାଳାଠାରେ ଘର ଭଡ଼ା କରି ରହିଆସୁଥିଲେ। ଏଠାରେ ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ଝିଅ ମଧ୍ୟ ଅଛି। 

ଧର୍ମଶାଳାଠାରେ କାଶ୍ମୀରର ଯୁବକ ଈସାନ ଭଡ଼ାଘରେ ରହୁଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। କିଛି ମାସ ପୂର୍ବରୁ ଈଶାନଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ହେବାରୁ ପୋଲିସ ଈଶାନଙ୍କ ଉପରେ ତୀକ୍ଷ୍ନ ନଜର ରଖିଥିଲା। ନିଜକୁ ଡାକ୍ତର ଭାବେ ପରିଚୟ ଦେଉଥିବା ଈଶାନ ପ୍ରକୃତରେ ଡାକ୍ତର ହୋଇନଥିବା ଜଣାପଡ଼ିବା ପରେ ଈଶାନଙ୍କ ଭଡ଼ାଘରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବହୁ ନକଲି ଡାକ୍ତରୀ ସାର୍ଟିଫିକେଟ, ପରିଚୟପତ୍ର, ଏଟିଏମ କାର୍ଡ, ସିମ କାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଥିଲା। ତାଙ୍କର ମୋବାଇଲ ମଧ୍ୟ ଜବତ କରାଯାଇଥିଲା। ଏହି ମୋବାଇଲ ଈଶାନଙ୍କ ଅନେକ ଗୁମର ଖୋଲିଥିବାବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ସଇଦ ଈଶାନ ବୁଖାରୀଙ୍କ ଜନ୍ମକୁଣ୍ଡଳୀ କାଢ଼ିବାରେ ଲାଗିପଡ଼ିଛି।

କ୍ରାଇମବ୍ରାଞ୍ଚ ଆଇଜିଙ୍କ କହିବା ଅନୁସାରେ ଈଶାନ ୭ରୁ ଅଧିକ ଯୁବତୀଙ୍କୁ ବିବାହ କରିଛନ୍ତି। ଏପରିକି ଅନେକ ଯୁବତୀଙ୍କ ସହ ସମ୍ପର୍କ ରହିଥିବା ଈଶାନଙ୍କ ସୋସିଆଲ ମିଡିଆରୁ ଜଣାପଡ଼ିଛି। ସୋସିଆଲ ମିଡିଆ ଜରିଆରେ ସୁନ୍ଦରୀ ଯୁବତୀମାନଙ୍କୁ ସହ ସମ୍ପର୍କ ଯୋଡ଼ିବା ପରେ ସେ ବିବାହ କରୁଥିଲେ।

ପୂର୍ବରୁ ଈଶାନ ବୁଖାରୀଙ୍କର ଆଇଏସଆଇ ସହ ସମ୍ପର୍କ ରହିଥିଲା। ବର୍ତ୍ତମାନ ଆଇଏସଆଇ ସହ ତାଙ୍କର ସମ୍ପର୍କ ରହିଛି କି ନାହିଁ ସେ ନେଇ ତଦନ୍ତ ଚାଲିଛି। ଈଶାନ ସମ୍ପର୍କରେ ଅଧିକ ଜାଣିବା ପାଇଁ ପଞ୍ଜାବ ଓ କଶ୍ମୀର ପୋଲିସ ସହ ଯୋଗାଯୋଗ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଆଇଜି ଜୟନାରାୟଣ ପଙ୍କଜ କହିଛନ୍ତି। ଗିରଫ ଅଭିଯୁକ୍ତ ଈଶାନଙ୍କୁ ସାତଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରାଯିବ ବୋଲି ସେ କହିଛନ୍ତି।

Tags: #MostWanted #IshanBukhari #MostWantedofKashmir #STFCrimebanch #Jajpur #Odisha

Comment