ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୦୨୪ ମସିହା ଫେବ୍ରୁଆରି ମାସରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେବ। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସୂଚନା ନେଇଛନ୍ତି। ଐତିହ୍ୟ କ୍ୟାବିନେଟ ବୈଠକରେ ଆସନ୍ତା ବର୍ଷ ଫେବ୍ରୁଆରି ମାସରେ ପ୍ରଥମ ଥର ଲାଗି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଥର ଲାଗି ଭୁବନେଶ୍ୱରଠାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ସଂସ୍କୃତି ବିଭାଗ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଛନ୍ତି।

ତିନିଦିନ ଧରି ଚାଲିବାକୁ ଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ବିଶ୍ୱର ବିଭିନ୍ନ ଭାଗରେ ଥିବା ଭାଷାବିତ୍ ଓ ଗବେଷକମାନଙ୍କୁ ଆମନ୍ତ୍ରଣ କରାଯିବ। ଏହି ସମ୍ମିଳନୀରେ ଓଡ଼ିଆ ଭାଷା ସହ ଓଡ଼ିଶାରେ ବ୍ୟବହୃତ ସମସ୍ତ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଦିଗରେ ପଦକ୍ଷେପ ଲାଗି ବିସ୍ତୃତ ଆଲୋଚନା ହେବ।

ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ତଥା ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆକର୍ଷଣ ବୃଦ୍ଧି କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରହିବ। ଛାତ୍ରଛାତ୍ରୀମାନଙ୍କୁ ଏହି ସମ୍ମିଳନୀରେ ସାମିଲ କରାଯାଇ ସେମାନଙ୍କ ମଧ୍ୟରେ ଭାଷା ଜ୍ଞାନକୁ କିଭଳି ଅଧିକ ରୁଦ୍ଧିମନ୍ତ କରିହେବ ତା’ ଉପରେ ଗୁରୁତ୍ୱ ଦିଆଯିବ।

ଖୁବ ଶୀଘ୍ର ସରକାରୀ ସ୍ତରରେ ଏକ ବୈଠକ ହୋଇ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ତାରିଖ ଧାର୍ଯ୍ୟ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।

Tags: #BiswoOdiaBhasaSammilani #WorldOdiaLanguageSummit #Odisha #Bhubaneswar #HeritageCabinet #CMOdisha

Comment