ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ସ୍ଥିତ ମହିମା ପୀଠର ରୂପାନ୍ତରଣ ଓ ଉନ୍ନତିକରଣ ପ୍ରକଳ୍ପ ପାଇଁ ଭୂମି ପୂଜନ କରାଯାଇଛି। ଶୁକ୍ରବାର ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଭୂମି ପୂଜନ କରିବା ସହ ଶିଳାନ୍ୟାସ କରିଥିଲେ। ଯୋରନ୍ଦା ପୀଠର ରୂପାନ୍ତରଣ ପାଇଁ ୧୧୨ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର।

“ମହିମା ଧର୍ମ ସରଳ ଜୀବନ, ସମ୍ୟତା ଏବଂ ଜଗତ କଲ୍ୟାଣରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ମହିମା ପୀଠ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଏହି ପୀଠର ଉନ୍ନତିକରଣ କାମ ଶୀଘ୍ର ଆରମ୍ଭ ହୋଇ ୩ ବର୍ଷ ମଧ୍ୟରେ ସରିବ।”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ବିଶ୍ଵର କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ଚିନ୍ତାଧାରା ଆମକୁ ମହିମା ଧର୍ମ ଶିକ୍ଷା ଦେଇଛି। ଏଭଳି ପବିତ୍ର ମାଟିକୁ ଆସି ସାଧୁ ସନ୍ଥଙ୍କ ସହ ମିଶିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି।”   

ମହିମା ପୀଠର ରୂପାନ୍ତରଣ ପ୍ରକଳ୍ପରେ ଏହି ସ୍ଥାନର ସର୍ବାଙ୍ଗୀନ ବିକାଶ ସହିତ ସାଧୁ ସନ୍ଥ ଓ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧାର ବିକାଶ କରାଯିବ। ଏଠାରେ ସମାଧି ମନ୍ଦିରର ପୁନଃ ନିର୍ମାଣ, ପୁଷ୍କରିଣୀର ପୁନରୁଦ୍ଧାର, ପ୍ରାର୍ଥନା ଗୃହ, ବସଷ୍ଟାଣ୍ଡ, ପାଚେରୀ ଓ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଆଦି ନିର୍ମାଣ କରାଯିବ।

ସେହିପରି ପୀଠ ଭିତରେ ରାସ୍ତା ସହିତ ଲାଇଟର ବ୍ୟବସ୍ଥା କରାଯିବ। ଏଠାରେ ଥିବା ବଡ଼ ପୋଖରୀର ପୁନରୁଦ୍ଧାର ସହିତ ପୀଠରେ ୪୦୦ଟି ଗଛ ଲଗାଯିବାର ବ୍ୟବସ୍ଥା କରାଯିବ। ଏହାକୁ ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଢେଙ୍କାନାଳ ସାଂସଦ ମହେଶ କୁମାର ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ଜିଲ୍ଲା ପରିଷଦ ସଭାପତି ଅର୍ଚ୍ଚନା ପୁହାଣ ପ୍ରମୁଖ ଯୋଗ ଦେଇଥିଲେ।

Tags: #MahimaAshram #Joranda #Transformation #CMNaveenPatnaik #Dhenkanal #Odisha

Comment