ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ହେରିଟେଜ ୱାକସ୍ ପକ୍ଷରୁ ବଡ଼ଦିନ ଅବସରରେ ଯାଜପୁରର ବିରଜା କ୍ଷେତ୍ର ପରିଦର୍ଶନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଯାଜପୁରେ ଆୟୋଜିତ ଏହି ‘ଯଯାତି କଲିଂ’ ନାମକ ଯାତ୍ରାରେ ୨୫ ଜଣ ଐତିହ୍ୟ ପ୍ରେମୀ ସାମିଲ ହୋଇଥିଲେ। ସେମାନେ ଏଥିରେ ଯାଜପୁର ସହର‌ର ଐତିହ୍ୟ ଓ ଇତିହାସ ଅନେକ କଥା ଜାଣିବାକୁ ପାଇଥିଲେ।

ସୋମବାର ଐତିହ୍ୟ ଯାତ୍ରାର ଆରମ୍ଭରେ ଆବାହକ ଡକ୍ଟର ଦୀପକ ସାମନ୍ତରାୟ ସମସ୍ତଙ୍କୁ ସ୍ଵାଗତ ଜଣାଇଥିଲେ। ଏହାପରେ ଐତିହ୍ୟ ପ୍ରେମୀମାନେ କଟକରୁ ଯାଜପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସଂଗ୍ରହାଳୟ ବୁଲି ଦେଖିଥିଲେ। ସେଠାରେ ଥିବା ତିନି ସପ୍ତମାତୃକାଙ୍କ ବିରାଟକାୟ ମୂର୍ତ୍ତି ସମସ୍ତଙ୍କୁ ଆକର୍ଷିତ କରିଥିଲା। ଏହାସହ ସଂଗ୍ରହାଳୟରେ ସେମାନେ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ଅବଲୋକେତଶ୍ଵର ପଦ୍ମପାଣିଙ୍କ ମୂର୍ତ୍ତି ଦେଖିଥିଲେ।

ଏହାପରେ ଯାତ୍ରାରେ ସାମିଲ ହୋଇଥିବା ସଦସ୍ୟମାନେ ବୈତରଣୀ ନଦୀ କୂଳରେ ଅବସ୍ଥିତ ମୂଳ ବରାହନାଥ ମନ୍ଦିରକୁ ଯାଇଥିଲେ। ଏହାର ପ୍ରାଙ୍ଗଣରେ ଚତୁର୍ଥ ଶତାବ୍ଦୀରୁ ଷୋଡ଼ଶ ଶତାବ୍ଦୀ ମଧ୍ୟରେ ନିର୍ମିତ ଅନେକ ମନ୍ଦିରର ଭଗ୍ନାବଶେଷ ସେମାନେ ଦେଖିବାକୁ ପାଇଥିଲେ।

ସେହିପରି ଯାତ୍ରାରେ ବୈତରଣୀ ନଦୀ କୂଳରେ ଥିବା ସପ୍ତମାତୃକା ମନ୍ଦିର ଓ ଜଗନ୍ନାଥ ମନ୍ଦିରକୁ ଐତିହ୍ୟ ପ୍ରେମୀମାନେ ଯାଇଥିଲେ। ଏହାସହ ସେମାନେ ଯାଜପୁରର ସିଦ୍ଧେଶ୍ୱର ମନ୍ଦିର, ତ୍ରିଲୋଚନେଶ୍ୱର ମନ୍ଦିର, ଗୋପିନାଥ ମନ୍ଦିର, ବିରଜା ମନ୍ଦିର ଏବଂ ଅଠରନଳା ପୋଲ ବୁଲି ଦେଖିଥିଲେ।

ଏହି ଯାତ୍ରାରେ କଟକ ହେରିଟେଜ ୱାକସର ପ୍ରତିଷ୍ଠାତା ସଦସ୍ୟ ବିକାଶ ଦାସ, କିଶୋର ବିଟ୍, ଜୟନ୍ତ ସିଂହ, ଜିତେନ୍ଦ୍ରିୟ ସିଂହ, ବିଶ୍ଵ ରଞ୍ଜନ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଅନୁଷ୍ଠାନର ଅନ୍ୟ ସଦସ୍ୟମାନେ ମଧ୍ୟ ଯାତ୍ରାରେ ସାମିଲ ହୋଇଥିଲେ।

Tags: #CuttackHeritageWalks #HeritageTrail #Christmas #Jajpur #Odisha

Comment