ଓଡ଼ିଶାଲାଇଭ୍ ବ୍ୟୁରୋ

ପିକ୍‌ନିକ୍ ଋତୁରେ ଘଟୁଥିବା ଦୁର୍ଘଟଣାକୁ ନେଇ ଚିନ୍ତା ବଢ଼ିବାକୁ ଲାଗିଛି। କେତେବେଳେ ମଦ୍ୟପ ଡ୍ରାଇଭରଙ୍କ ଯୋଗୁଁ ତ କେବେବେଳେ ପିକ୍‌ନିକ୍‌ରେ ଯାଉଥିବା ଗାଡ଼ିରେ ରନ୍ଧନ ଗ୍ୟାସ ଆଦି କାରଣରୁ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ପିକ୍‌ନିକ୍‌ ୠତୁରେ ଦୁର୍ଘଟଣା ଏଡାଇବା ପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି।

ନୂଆବର୍ଷଠରୁ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ମନଇଚ୍ଛା ପିକ୍‌ନିକ୍‌ ପାଇଁ ଗାଡ଼ି ଭଡ଼ା ଦେଇପାରିବେନି ମାଲିକମାନେ। ପିକ୍‌ନିକ୍‌ ପାଇଁ ଯାଉଥିବା ଗାଡ଼ିର ଫିଟନେସ୍ ପ୍ରମାଣପତ୍ର ଦରକାର ପଡ଼ିବ। ଏହା ସହ ସ୍ଥାନୀୟ ଆରଟିଓରୁ ସ୍ଵତନ୍ତ୍ର ଅନୁମତି ନେବାକୁ ହେବ। ଫିଟନେସ୍ ପ୍ରମାଣପତ୍ର ଥିବା ଗାଡ଼ିକୁ ହିଁ ପିକ୍‌ନିକ୍ ପାଇଁ ଅନୁମତି ମିଳିବ।

ମଦ୍ୟପାନ କରି କୌଣସି ଡ୍ରାଇଭର ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ସମ୍ପୃକ୍ତ ଡ୍ରାଇଭରଙ୍କର ଲାଇସେନ୍ସକୁ ରଦ୍ଦ କରାଯିବ। ଏହା ସହ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇଲେ ଗାଡ଼ିକୁ ଅଟକ ରଖାଯିବ। ପିକ୍‌ନିକ୍ ସ୍ଥାନକୁ ପୋଲିସ ଯାଇ ଗାଡ଼ିଗୁଡ଼ିକର ଅନୁଧ୍ୟାନ କରିବେ। ପିକ୍‌ନିକ୍ ସ୍ପଟ୍‌ଗୁଡ଼ିକରେ ପୋଲିସ ମୁତୟନ ହେବେ।

ପିକ୍‌ନିକ୍ ପାଇଁ ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡ଼ିରେ କୌଣସି ବିସ୍ଫୋରକ ସାମଗ୍ରୀ ନେଇ ହେବ ନାହିଁ। ଏହାର ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅଧିକ ଯାତ୍ରୀ ନେଉଥିଲେ ଅନୁମତି ମିଳିବ ନାହିଁ।

ଆରଟିଓ ଏବଂ ପୋଲିସ ମିଳିତ ଭାବେ ପିକ୍‌ନିକ୍‌ ଗାଡ଼ିଗୁଡ଼ିକର ଯାଞ୍ଚ କାର୍ଯ୍ୟ କରିବେ। ପିକ୍‌ନିକ୍‌ ସ୍ଥାନରେ ପ୍ଲାଷ୍ଟି ଏବଂ ପଲିଥିନ ବ୍ୟବହାର ନିଷିଦ୍ଧ କରିବା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି। ସ୍ଥାନୀୟ ଏନଜିଓଙ୍କ ମାଧ୍ୟମରେ ପ୍ଲାଷ୍ଟିକ୍ ଫ୍ରି ପିକ୍‌ନିକ୍‌ ଉପରେ ସଚେତନ କରାଯିବ।

ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ସଡ଼କ ସୁରକ୍ଷା ପରିବାର ରକ୍ଷା’ ଅଭିଯାନ। ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୨୦୨୪ ଜାନୁଆରି ୧ରୁ ୭ ତାରିକ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଏହି ଅଭିଯାନ ଚାଲିବ।

Tags: #Odisha #SOPsForVehiclesDuringPicnic #RoadSafty #GuidelinesForPicnic

Comment