ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁତ ଦିନର ଅପେକ୍ଷା ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗଡ଼ିଲା ଟ୍ରେନ। ଶନିବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ କରିବା ସହ ପତାକା ଦେଖାଇ ଏଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି।  

ଏହି କାର୍ଯ୍ୟକ୍ରମରେ ପୂର୍ବରୁ ନୟାଗଡ଼ ଓ ନୂଆଗାଁ ଷ୍ଟେସନ ଯାଏଁ ଚାଲୁଥିବା ୪ଟି ଟ୍ରେନର ଦଶପଲ୍ଲା ଯାଏଁ ସମ୍ପ୍ରସାରଣ କରାଯାଇଛି। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନର କାମ ଶୀଘ୍ର ସରିବ ବୋଲି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଘୋଷଣା କରିଥିଲେ।     

“ଓଡ଼ିଶାରେ ରେଳ ଭିତ୍ତିଭୂମିର ପ୍ରସାର ବ୍ୟାପକ ହେବାରେ ଲାଗିଛି। ୨୦୧୪ ମସିହା ପୂର୍ବରୁ ଓଡ଼ିଶାକୁ ଖୁବ କମ ରେଳ ବଜେଟ ମିଳୁଥିଲା। ହେଲେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଓଡ଼ିଶାକୁ ଏବେ ପ୍ରତିବର୍ଷ ପ୍ରାୟ ୧୦ ହଜାର କୋଟି ଟଙ୍କାର ରେଳ ବଜେଟ ମିଳୁଛି। ଏହା ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପକୁ ଆଗେଇ ନେବାରେ ବହୁତ ସହାୟକ ହେଉଛି”, କହିଛନ୍ତି ଅଶ୍ଵିନୀ ବୈଷ୍ଣବ।

ସେ ଆହୁରି ମଧ୍ୟ କହିଛନ୍ତି, “ନୟାଗଡ଼କୁ ଟ୍ରେନ ଚଳାଚଳ ଆରମ୍ଭ ହେବାପରେ ଜିଲ୍ଲାର ଗମନାଗମନ ସୁଦୃଢ଼ ହୋଇଛି। ଏବେ ଦଶପଲ୍ଲାର ଲୋକଙ୍କୁ ମଧ୍ୟ ଏହି ସୁବିଧା ମିଳିବାକୁ ଯାଉଛି। ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପଥରେ ମଧ୍ୟ ଏବେ କାମ ଜୋରସୋରରେ ଚାଲିଛି। ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ବୋଲି ଆମେ ଆଶାବାଦୀ ଅଛୁ।”     

ଏଠାରେ ରେଳମନ୍ତ୍ରୀ ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଗାଁ ରୋଡ ପାସେଞ୍ଜର, ପୁରୀ-ନୂଆଗାଁ ରୋଡ ପାସେଞ୍ଜର ଏବଂ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନଗୁଡ଼ିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ କନ୍ଧମାଳର ସାଂସଦ ତଥା କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

Tags: #DaspallaRailwayStation #KhurdaRoad-BolangirRailProject #AshwiniVaisnaw #TrainServices #Odisha

Comment