ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ପୁଣି ଶୀତଲହରୀ ଜାରି ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଥଣ୍ଡା ସହ ମାତ୍ରାଧିକ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।  

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାରେ ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏବେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଆଗକୁ ରାତି ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।

ମଙ୍ଗଳବାର ରାତିରେ ଜି.ଉଦୟଗିରିରେ ୮.୮ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ୯ ଡିଗ୍ରୀ, ସେମେଳିଗୁଡ଼ାରେ ୧୧.୧ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୧.୫ ଡିଗ୍ରୀ ତଥା ଅନୁଗୁଳରେ ୧୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ବୁଧବାର ସକାଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଖୋର୍ଦ୍ଧା, ଢେଙ୍କାନାଳ, କଟକ ଭଳି ଜିଲ୍ଲାରେ କୁହୁଡ଼ି ଯୋଗୁଁ ବହୁତ ଦୂର ଯାଏଁ କିଛି ଦେଖାଯାଉନଥିଲା। ଏଥିପାଇଁ ରାସ୍ତାରେ ଗାଡ଼ି ମୋଟର ଚଳାଚଳରେ ସମସ୍ୟା ହୋଇଥିଲା।       

 Tags: #ColdWave #Winter #Fog #NightTemperature #WeatherUpdates #MCBBSR #Odisha

Comment