ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଶୀତଲହରୀ ଲାଗି ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଥଣ୍ଡା ସହ ମାତ୍ରାଧିକ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସୋମବାର ରାତିରେ ରାଜ୍ୟର ୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଆହୁରି ୩ରୁ ୪ ଦିନ ଯାଏଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପାଗ ଶୁଷ୍କ ରହିବା ସହ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।  

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରୁଛି। ତେବେ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବଢ଼ିଥିଲେ ମଧ୍ୟ ଅଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଥଣ୍ଡା ପଡୁଛି।  

ସୋମବାର ରାତିରେ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୮ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ୮.୬ ଡିଗ୍ରୀ, କୋରାପୁଟରେ ୯.୨ ଡିଗ୍ରୀ, ରାଉରକେଲାରେ ୯.୮ ଡିଗ୍ରୀ ଓ ଜି.ଉଦୟଗିରିରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ମଙ୍ଗଳବାର ସକାଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅନୁଗୁଳ, ଢେଙ୍କାନାଳ, କଟକ, ବଲାଙ୍ଗିର, କନ୍ଧମାଳ ଭଳି ଜିଲ୍ଲାରେ କୁହୁଡ଼ି ଯୋଗୁଁ ବହୁତ ଦୂର ଯାଏଁ କିଛି ଦେଖାଯାଉନଥିଲା। ଏଥିପାଇଁ ରାସ୍ତାରେ ଗାଡ଼ି ମୋଟର ଚଳାଚଳରେ ସମସ୍ୟା ଦେଖାଦେଇଥିଲା।

Tags: #ColdWave #Winter #Fog #NightTemperature #WeatherUpdates #MCBBSR #Odisha

Comment