ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶୀତଲହରୀ ଜାରି ରହିଥିବାବେଳେ କିଛି ସ୍ଥାନରେ ବର୍ଷା ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା କମିବା ସହ କୋହଲା ପାଗ ସହ ଲାଗିରହିଛି। ତେବେ ଆଗକୁ ୨ରୁ ୩ ଦିନ ଯାଏଁ ରାଜ୍ୟରେ ଶୀତ ସହ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।  

ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଘନ କୁହୁଡ଼ି ପାଇଁ ୯ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ରହିଛନ୍ତି।

ତେବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଗୁରୁଚାପ ପ୍ରଭାବରେ ଝିପିଝିପି ବର୍ଷା ହେଉଛି। ମଙ୍ଗଳବାର ଓ ବୁଧବାର ଗୁରୁଚାପ ବଳୟର ସକ୍ରିୟତା ବଢ଼ିବା ଯୋଗୁଁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ସୋମବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୮.୭ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ କୋରାପୁଟରେ ୧୦.୧ ଡିଗ୍ରୀ, ଝାରସୁଗୁଡ଼ାରେ ୧୦.୬ ଡିଗ୍ରୀ, ସେମେଳିଗୁଡ଼ାରେ ୧୩ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଜାନୁଆରି ୨୫ ତାରିଖ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ। ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Tags: #ColdWave #Winter #Fog #NightTemperature #WeatherUpdates #MCBBSR #Odisha  

Comment