ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ବିଭିନ୍ନ ସ୍ଥାନରେ ବର୍ଷା ସହ ପାଗ କୋହଲା ରହୁଛି। ଏହାଫଳରେ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଆଗାମୀ ୨ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ଉପକୂଳ ଓ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ସହ କୋହଲା ପାଗ ଲାଗି ରହିଛି। ଆହୁରି ୨ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ତେବେ ବର୍ଷା ଯୋଗୁଁ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେଉଛି। ବୁଧବାର ସକାଳେ କୋରାପୁଟରେ ୧୦.୩ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୧୦.୪ ଡିଗ୍ରୀ, ବାରିପଦାରେ ୧୦.୬ ଡିଗ୍ରୀ, କେନ୍ଦୁଝରରେ ୧୧.୪ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଏବେ ଓଡ଼ିଶାରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଜାନୁଆରି ୨୬ ତାରିଖ ପରେ ତାପମାତ୍ରା କମିବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Tags: #ColdWave #Winter #Fog #NightTemperature #WeatherUpdates #MCBBSR #Odisha  

Comment