ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ଶନିବାର ଜାନୁଆରି ୨୭ ତାରିଖରେ ଉଦଘାଟିତ ହେବାକୁ ଯାଉଛି ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ। ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଶନିବାର ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର।

ଜାନୁଆରି ୨୭ ତାରିଖରେ ରାଜ୍ୟର ସବୁ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି ହୋଇଛି। ସେହିପରି ଏହି ଦିନ ଚତୁର୍ଥ ଶନିବାର ପଡ଼ୁଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ।

ସମଲେଇ ପ୍ରକଳ୍ପ ଅଧୀନରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀଙ୍କ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳର ବିକାଶ କରାଯାଉଛି। ଏହି ଯୋଜନାରେ ମନ୍ଦିର ଚାରିପଟେ ସୁଉଚ୍ଚ ତୋରଣ, ଐତିହାସିକ କରିଡର, ଭକ୍ତଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବା ସହ ସୂଚନା କେନ୍ଦ୍ର, ପାର୍କିଂ, ଶୌଚାଳୟ ଏବଂ ଭେଣ୍ଡିଂ ଜୋନ ଆଦିର ବିକାଶ କରାଯାଇଛି।

ସେହିପରି ପ୍ରକଳ୍ପ ଅଧୀନରେ ସମ୍ବଲପୁରରେ ମହାନଦୀ ଘାଟର ଉନ୍ନତିକରଣ ଓ ମହାନଦୀ ଆଳତୀ ବ୍ୟବସ୍ଥା, ମହାନଦୀ କୂଳରେ ୨୨ ଏକର ଆଦ୍ରଭୂମିର ବିକାଶ, ରିଙ୍ଗ ରୋଡ଼ ସୌନ୍ଦର୍ଯ୍ୟକରଣ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଆଦିର ବିକାଶ କରାଯାଉଛି।

Tags: #MaaSamaleswariTemple #SamaleiProjectInauguration #CMNaveenPatnaik #Sambalpur #Odisha

Comment