ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ବଲପୁରରେ ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପ। ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିଛନ୍ତି। ଏନେଇ ସମଗ୍ର ସମ୍ବଲପୁର ସହର ଉତ୍ସବମୁଖର ହୋଇଉଠିଛି।

ସମଲେଇ ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ଶନିବାର ଅପରାହ୍ଣ ୧୨ଟା ୩୦ରେ ସମ୍ବଲପୁରରେ ପହଞ୍ଚିଥିଲେ। ପ୍ରଥମେ ସେ ମା’ ସମଲେଶ୍ଵରୀଙ୍କ ଦର୍ଶନ କରିଥିଲେ। ଏହାପରେ ସେ ପ୍ରକଳ୍ପ ପାଇଁ ମା’ ସମଲେଶ୍ଵରୀଙ୍କ ମନ୍ଦିର ପରିସରରେ ହେଉଥିବା ହୋମଯଜ୍ଞରେ ଯୋଗ ଦେଇଥିଲେ। ଏହି ଯଜ୍ଞ ସରିବା ପରେ ପ୍ରକଳ୍ପର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମଲେଶ୍ଵରୀ ମନ୍ଦିର ପରିସର ବୁଲି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହାସହ ଏହି ପ୍ରକଳ୍ପ ଅନ୍ତର୍ଗତ ଚାଲୁଥିବା ଅନ୍ୟ କିଛି କାର୍ଯ୍ୟ ବିଷୟରେ ପଚାରି ବୁଝିଥିଲେ।

ସମଲେଇ ପ୍ରକଳ୍ପ ଉଦଘାଟନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଜାରି କରିଥିଲେ। ସେ କହିଥିଲେ, “ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟ ଦେବୀ। ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ମନ୍ଦିରର ରୂପାନ୍ତରଣ କରାଯାଇଛି। ମା’ଙ୍କ କୃପାରୁ କମ ସମୟରେ ଏହି ପ୍ରକଳ୍ପ କାର୍ଯ୍ୟ ସରିଛି। ଏହା ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ ବୋଲି ମୋର ବିଶ୍ଵାସ।” 

ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଶନିବାର ସକାଳୁ ସମଲେଶ୍ଵରୀ ମନ୍ଦିରରେ ହୋମଯଜ୍ଞ ଆରମ୍ଭ ହୋଇଥିଲା। ବେଦ ମନ୍ତ୍ର ଓ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଥିଲା ସମଗ୍ର ଅଞ୍ଚଳ। ଏହାଛଡ଼ା ଲୋକାର୍ପଣ ଉତ୍ସବ ପାଇଁ ଶନିବାର ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି।

ସମଲେଇ ପ୍ରକଳ୍ପ ଅଧୀନରେ ମା’ ସମଲେଶ୍ଵରୀଙ୍କ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳର ରୂପାନ୍ତରଣ କରାଯାଇଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଆଉ ୨୦୦ କୋଟି ଟଙ୍କା ମଞ୍ଜୁର କରିଥିଲେ ରାଜ୍ୟ ସରକାର।  

ଏହି ଯୋଜନାରେ ମା’ ସମଲେଶ୍ଵରୀଙ୍କ ମନ୍ଦିର ଚାରିପଟେ ସୁଉଚ୍ଚ ତୋରଣ, ଐତିହାସିକ କରିଡର, ଭକ୍ତଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବା ସହ ସୂଚନା କେନ୍ଦ୍ର, ପାର୍କିଂ, ଶୌଚାଳୟ ଏବଂ ଭେଣ୍ଡିଂ ଜୋନ ଆଦିର ବିକାଶ କରାଯାଇଛି।

ସେହିପରି ପ୍ରକଳ୍ପ ଅଧୀନରେ ସମ୍ବଲପୁରରେ ମହାନଦୀ ଘାଟର ଉନ୍ନତିକରଣ ଓ ମହାନଦୀ ଆଳତୀ ବ୍ୟବସ୍ଥା, ମହାନଦୀ କୂଳରେ ୨୨ ଏକର ଭୂମିର ବିକାଶ, ରିଙ୍ଗ ରୋଡ଼ ସୌନ୍ଦର୍ଯ୍ୟକରଣ ଏବଂ ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ କରାଯାଉଛି।

Tags: #MaaSamaleswariTemple #SamaleiProjectInauguration #CMNaveenPatnaik #Sambalpur #Odisha

Comment