ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନ କୁହୁଡ଼ିରେ ଆଚ୍ଛାଦିତ ରହୁଛି ଓଡ଼ିଶାର ଅଧିକାଂଶ ଅଞ୍ଚଳ। ଆହୁରି ୪ରୁ ୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଷ୍କ ସହ ରାତି ତାପମାତ୍ରା କମ ରହିବାର ସମ୍ଭାବନା ରହିଛି। ବୁଧବାର କୁହୁଡ଼ି ପାଇଁ ଓଡ଼ିଶାର ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।  

କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଓ ମୟୂରଭଞ୍ଜ ରହିଛି। ଏହି ସବୁ ଜିଲ୍ଲାର କିଛି ସ୍ଥାନରେ କୁହୁଡ଼ି ଯୋଗୁଁ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବାର ସମ୍ଭାବନା ରହିଛି।  

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏବେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରୁଛି। ଏହା ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା କମ୍ ରହୁଛି। ତେବେ ଫେବ୍ରୁଆରି ମାସ ପ୍ରଥମ ସପ୍ତାହରେ ରାଜ୍ୟରେ ତାପମାତ୍ରା ବଢ଼ିବାର ସମ୍ଭବନା ରହିଛି।

ଅନ୍ୟପଟେ ଏବେ କୁହୁଡ଼ି ଯୋଗୁଁ ରାସ୍ତାରେ ଦୃଶ୍ୟମାନ ଦୂରତା କମ ରହୁଛି। ଫଳରେ ଗାଡ଼ି ମୋଟର ଚଳାଚଳରେ ଲୋକେ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ କିଛି ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଥିବାର ଦେଖିବାକୁ ମିଳୁଛି।

Tags: #ColdWave #Winter #Fog #NightTemperature #WeatherUpdates #MCBBSR #Odisha

Comment