ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଜଙ୍ଗଲରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ନାଇଟ୍ ସଫାରି। ଭୁବନେଶ୍ଵର ଉପଖଣ୍ଡ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ଏହି ନାଇଟ୍ ସଫାରି ଆରମ୍ଭ ହୋଇଛି।

ଜଙ୍ଗଲରେ ପ୍ରଥମ ନାଇଟ୍ ସଫାରିର ମଜା ଉଠାଇଥିଲେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ। ସୋମବାର ରାତିରେ ନାଇଟ୍ ସଫାରିର ଶୁଭାରମ୍ଭ କରିଥିଲେ ପିସିସିଏଫ ସୁଶାନ୍ତ ନନ୍ଦ। ଏହି ଭ୍ରମଣ ସୁବିଧା ନିୟମିତ ହେବା ପୂର୍ବରୁ ୩ଦିନ ପାଇଁ ଦୁଇଟି ସିଫ୍ଟରେ ଛାତ୍ରଛାତ୍ରୀ, ଗବେଷଣାରତ ଛାତ୍ରଛାତ୍ରୀ ଏବଂ ପ୍ରକୃତି ପ୍ରେମୀଙ୍କୁ ଜଙ୍ଗଲ ଭିତରେ ବୁଲାଇବାକୁ ଲକ୍ଷ୍ୟ ରଖିଛି ବନ ବିଭାଗ।

ଡେରାସଠାରେ ଏକ ପ୍ରକୃତି ଶିବିର କରାଯାଇ ରାତ୍ରିକାଳୀନ ରହଣି ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ଦିନରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରକୃତି ସମ୍ପର୍କରେ ଅବଗତ କରିବା ଲାଗି ଭାରତପୁର ଓ ଡମପଡ଼ାଠାରେ ପ୍ରକୃତି ସଚେତନତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସେହିପରି ଜଙ୍ଗଲ, ପରିବେଶ ଏବଂ ପର୍ଯ୍ୟଟନ ସମ୍ପର୍କରେ ଭ୍ରମଣକାରୀଙ୍କୁ ବୁଝାଇବା ଲାଗି ଜଙ୍ଗଲ ସଫାରି ଗାଡ଼ି ଚାଲିଛି।

ବର୍ତ୍ତମାନ ଜଗନ୍ନାଥପ୍ରସାଦରୁ ଭରତପୁର ସେକ୍ଟର ମଧ୍ୟରେ ରାତ୍ରିକାଳୀନ ଭ୍ରମଣ ସୁବିଧା ଉପଲବ୍ଧ କରାଯାଇଛି। ଅଭୟାରଣ୍ୟର ୧୯ କିଲୋମିଟର ପର୍ଯ୍ୟନ୍ତ ଏହି ସେକ୍ଟର ପରିବ୍ୟାପ୍ତ ହୋଇଛି। ଜଙ୍ଗଲ ସଫାରି ଆରମ୍ଭ ହେବା ଫଳରେ ପର୍ଯ୍ୟଟକମାନେ ଅନ୍ଧାରରେ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ଅନୁଭବ କରିପାରିବେ। ରାତି ୯ଟା ପର୍ଯ୍ୟନ୍ତ ନାଇଟ୍ ସଫାରିର ମଜା ଉଠାଇ ପାରିବେ ପର୍ଯ୍ୟଟକ। ଏକ ଘଣ୍ଟା ମଧ୍ୟରେ ପର୍ଯ୍ୟଟକମାନେ ଜଙ୍ଗଲ ଭିତରେ ପ୍ରାୟ ୧୯ କିଲୋମିଟର ବୁଲିବାର ସୁଯୋଗ ପାଇପାରିବେ।

ଅଭୟାରଣ୍ୟର ଜୈବ ବିବିଧତା ରକ୍ଷା କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଜୀବିକା ପ୍ରଦାନ କରିବା ଲକ୍ଷ୍ୟରେ ଏହିପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ସୁଶାନ୍ତ ନନ୍ଦ କହିଛନ୍ତି।

Tags: #NightSafari #Odisha #Forest #ChandakaDamapadaAbhayaranya #Odisha #JangalSafari

Comment