ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠିର (ଇପିଏଫ) ସୁଧହାର ବଢ଼ିଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ ଖାତାଧାରୀଙ୍କୁ ପୂର୍ବ ବର୍ଷ ତୁଳନାରେ ୦.୧୦ ପ୍ରତିଶତ ଅଧିକ ସୁଧ ମିଳିବ। ଫଳରେ ଇପିଏଫ ସୁଧହାର ୮.୧୫ ପ୍ରତିଶତରୁ ବଢ଼ି ଏବେ ୮.୨୫ ପ୍ରତିଶତରେ ପହଞ୍ଚିଛି। ଏନେଇ ଶନିବାର କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (ଇପିଏଫଓ) ପକ୍ଷରୁ ସୂଚନା ଦିଆଯାଇଛି।
ଏହି ସୁଧହାର ବୃଦ୍ଧି ଫଳରେ ଇପିଏଫ ଆକାଉଣ୍ଟ ଥିବା ଦେଶର ୬ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ। ଏହି ବର୍ଦ୍ଧିତ ସୁଧ ଚଳିତ ଆର୍ଥିକବର୍ଷ ଆରମ୍ଭରୁ ପିଛିଲା ଭାବେ ଲାଗୁ ହେବ। ବିଗତ ୩ ବର୍ଷରେ ଏହା ଇପିଏଫର ସର୍ବାଧିକ ସୁଧହାର।
ଶନିବାର ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିସ୍ ବୈଠକରେ ଇପିଏଫ ସୁଧହାର ବୃଦ୍ଧି କରିବା ନେଇ ସୁପାରିସ କରାଯାଇଛି। ଏବେ ଏହାକୁ ଅନୁମୋଦନ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପାଖକୁ ପଠାଯିବ।
୨୦୧୩-୧୪ ଆର୍ଥିକ ବର୍ଷରେ ଇପିଏଫ ପାଇଁ ୮.୭୫ ସୁଧହାର ଦିଆଯାଉଥିଲା। ପରେ ଏହା ୮.୫୦ ପ୍ରତିଶତକୁ ଖସିଆସିଥିଲା। ପରେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏହି ସୁଧହାରକୁ ୦.୪୦ ପ୍ରତିଶତ କମ କରି ଦେଇଥିଲେ। ଫଳରେ ସୁଧହାର ୮.୫୦ରୁ ୮.୧୦ ପ୍ରତିଶତକୁ ଖସିଯାଇଥିଲା। ଏହା ୪୦ ବର୍ଷରେ ସବୁଠୁ କମ ଥିଲା।
ଏହାପରେ କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଇପିଏଫ ସୁଧହାରକୁ ୦.୦୫ ପ୍ରତିଶତ ବଢ଼ାଇ ୮.୧୫ ପ୍ରତିଶତ କରିଥିଲେ। ଏବେ ଚଳିତ ଆର୍ଥିକ ବର୍ଷରେ ଏହି ସୁଧହାର ୦.୧୦ ପ୍ରତିଶତ ବଢ଼ି ୮.୨୫ ପ୍ରତିଶତରେ ପହଞ୍ଚିଛି।
Tags: #EmployeesProvidentFund #EPFO #InterestRate #CentralFinanceMinistry