ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଧୀରେ ଧୀରେ ଶୀତ କମିବାରେ ଲାଗିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ହାରାହାରି ତାପମାତ୍ରା ୨ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି। ତେବେ ଅଭ୍ୟନ୍ତରୀଣ ଜିଲ୍ଲାରେ ଏବେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାକୁ ମେଘ ତଥା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହିତ ହେଉଥିବାରୁ ଶୀତ କମିବାରେ ଲାଗିଛି। ଏହାସହ ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର ଓ ବରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ସୋମବାର ସକାଳେ କୋରାପୁଟର ସେମେଳିଗୁଡ଼ାରେ ୧୩.୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ କୋରାପୁଟରେ ୧୩.୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪ ଡିଗ୍ରୀ, ଅନୁଗୁଳରେ ୧୪.୬ ଡିଗ୍ରୀ ଏବଂ ଫୁଲବାଣୀରେ ୧୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ମଙ୍ଗଳବାର ଓଡ଼ିଶାର ୧୦ଟି ଜିଲ୍ଲାରେ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ବଲାଙ୍ଗିର, ସୋନପୁର, କଳାହାଣ୍ଡି, କନ୍ଧମାଳ ଓ ନୟାଗଡ଼ ଜିଲ୍ଲା ସାମିଲ ରହିଛି।

Tags: #ColdWave #Winter #Fog #NightTemperature #WeatherUpdates #MCBBSR #Odisha

LEAVE A REPLY

Please enter your comment!
Please enter your name here