ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ବଭାରତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଯୁବ ଗାଳ୍ପିକା ରୋଜାଲିନ ମହାନ୍ତି। ରୋଜାଲିନ ମହାନ୍ତି ପ୍ରଧାନମନ୍ତ୍ରୀ ଯୁବ ମେଣ୍ଟରସିପ ଯୋଜନାରେ ମନୋନୀତ ହୋଇଛନ୍ତି।

ଏହି ଯୋଜନାରେ ଯୁବ ଲେଖିକା ରୋଜାଲିନ ମହାନ୍ତିଙ୍କୁ ମାସିକ ୫୦ ହଜାର ଟଙ୍କା ଲେଖାଏଁ ୬ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଏଥିସହ ତାଙ୍କର ପାଣ୍ଡୁଲିପିଟି ନ୍ୟାସନାଲ ବୁକ୍ ଟ୍ରଷ୍ଟ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶ ପାଇବ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୂଦିତ ହେବ।

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ପକ୍ଷରୁ ୩୦ ବର୍ଷ ବୟସ ମଧ୍ୟରେ ଥିବା ଯୁବ ଲେଖକମାନଙ୍କଠାରୁ ପାଣ୍ଡୁଲିପି ଆହ୍ୱାନ କରାଯାଇଥିଲା। ‘ଗଣତନ୍ତ୍ର’ ବିଷୟକୁ ନେଇ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଉପରେ ଲିଖିତ ରୋଜାଲିନ ମହାନ୍ତିଙ୍କ ପାଣ୍ଡୁଲିପିଟି ମନୋନୀତ ହୋଇଛି।

ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ସିଦ୍ଧପୋଖରୀ ଗ୍ରାମର କୁମରବର ମହାନ୍ତି ଓ ସ୍ଵର୍ଗତ ସୁଧାଂଶୁବାଳା ମହାନ୍ତିଙ୍କ ଝିଅ ରୋଜାଲିନ ମହାନ୍ତି ଗଳ୍ପ, କବିତା ରଚନା କରିବା ସହ ଆକାଶବାଣୀ ଓ ଦୂରଦର୍ଶନ ଉପସ୍ଥାପିକା ଭାବେ କାର୍ଯ୍ୟ କରିଛନ୍ତି। ସାମ୍ବାଦିକତାରେ ସ୍ନାତକୋତ୍ତର କରିଥିବା ରୋଜାଲିନ ପୂର୍ବରୁ ‘ସମ୍ବାଦ’ ଖବରକାଗଜରେ ମଧ୍ୟ କାମ କରିଛନ୍ତି।

ସାହିତ୍ୟ ସାଧନା ପାଇଁ ରୋଜାଲିନଙ୍କୁ ‘କଥା ନବପ୍ରତିଭା ପୁରସ୍କାର’, ‘କାଦମ୍ବିନୀ ନବଉନ୍ମେଷ ପୁରସ୍କାର’ ପ୍ରାପ୍ତ ହୋଇଛି। ଦେଶର ବିଭିନ୍ନ ଭାଷାରୁ ମନୋନୀତ ମୋଟ ୪୪ ଜଣ ଲେଖକଙ୍କ ମଧ୍ୟରେ ରୋଜାଲିନ ମହାନ୍ତି ଏକମାତ୍ର ଓଡ଼ିଆ ଲେଖିକା ଭାବେ ମନୋନୀତ ହେଇଛନ୍ତି।

Tags: #PMYoungMentorshipScheme #YUVAScheme #RosalinMohanty #YoungAuthor

Comment