ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଦାବି ନେଇ ଦେଶର ଏକାଧିକ କୃଷକ ସଂଗଠନ ଆରମ୍ଭ କରିଛନ୍ତି ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ। ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନରେ ହଜାର ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। ହେଲେ ଚାଷୀମାନଙ୍କୁ ପଞ୍ଜାବ-ହରିଆଣା ସୀମାରେ ପୋଲିସ ଅଟକାଇଛି। ଏଥିପାଇଁ ପୋଲିସ ଓ ଚାଷୀ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି।

ଚାଷୀମାନଙ୍କ ଏହି ଆନ୍ଦୋଳନକୁ ରୋକିବା ପାଇଁ ପଞ୍ଜାବ-ହରିଆଣା ସୀମାରେ ପୋଲିସ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଫଳରେ ଉକ୍ତ ସ୍ଥାନରେ ଅନେକ ଟ୍ରାକ୍ଟର ଧାଡ଼ି ‌ହୋଇ ଛିଡ଼ା ହୋଇଛି। ଏଥିପାଇଁ ରାସ୍ତାରେ ଅନ୍ୟ ଗାଡ଼ି ମୋଟର ଚଳାଚଳ ବନ୍ଦ ହୋଇଛି।

କୃଷକ ସଂଗଠନଙ୍କ ପକ୍ଷରୁ ପ୍ରତ୍ୟେକ ଫସଲ ଉପରେ ଏମଏସପିର ଆଇନଗତ ଗ୍ୟାରେଣ୍ଟି ପାଇଁ ନିୟମ ବନେଇବାକୁ ଦାବି କରାଯାଇଛି। ଏହାସହ ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, କୃଷି ଶ୍ରମିକଙ୍କ ଋଣ କ୍ଷମା, ନକଲି ବିହନ ଓ କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଏବଂ ଚାଷୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଭଳି ଦାବି କେନ୍ଦ୍ର ସରକାରଙ୍କ ସମ୍ମୁଖରେ କୃଷକ ସଂଗଠନମାନେ ରଖିଛନ୍ତି।

ମଙ୍ଗଳବାର ଏହି ଆନ୍ଦୋଳନ ସମୟରେ ପଞ୍ଜାବ-ହରିଆଣା ସୀମାରେ ଥିବା ଶମ୍ଭୁ ବର୍ଡରରେ ହରିଆଣା ପୋଲିସ ପକ୍ଷରୁ ଚାଷୀମାନଙ୍କ ଯାତ୍ରାକୁ ଅଟକା ଯାଇଥିଲା। କଡ଼ା ସୁରକ୍ଷା ସତ୍ତ୍ୱେ ଚାଷୀମାନେ ବ୍ୟାରିକେଡ୍‌ ଭଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ରୋକିବା ପାଇଁ ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା।

ଏହି ସଂଘର୍ଷରେ କିଛି ଚାଷୀ ଆହତ ହୋଇଥିଲେ। ତେବେ ପୋଲିସ ପକ୍ଷରୁ ଆନ୍ଦୋଳନକୁ ରୋକାଯିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର ଦ୍ଵିତୀୟ ଦିନରେ ମଧ୍ୟ ଆନ୍ଦୋଳନ ଜାରି ବୋଲି କୃଷକ ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଏହି କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୟଙ୍କର ଟ୍ରାଫିକ ସମସ୍ୟା ଉପୁଜିଛି। ଦିଲ୍ଲୀ, ନୋଏଡା ତଥା ଚଣ୍ଡୀଗଡ଼ ଭଳି ସହରର କୌଣସି ସ୍ଥାନକୁ ଯିବା ପାଇଁ ରାସ୍ତାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Tags: #FarmersProtest #MSPGuarantee #DelhiMarch #Farmers #India    

Comment