ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏଠାରେ ଏସଏଚଜି ମହିଳାଙ୍କୁ ୟୁନିଫର୍ମ ବାବଦରେ ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ରାଜ୍ୟରେ ବୁଣାକାର ଓ କାରିଗର ସହାୟତା ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ରାଶିକୁ ବଢ଼ାଇବା ପାଇଁ ବୈଠରେ ନିଷ୍ପତ୍ତି ହୋଇଛି।

କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ସଦସ୍ୟାଙ୍କୁ ୟୁନିଫର୍ମ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବେ। ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ପ୍ରସ୍ତାବ ପାଇଁ ୭୩୦ କୋଟି ଟଙ୍କାର ଅନୁମୋଦନ କରାଯାଇଛି।

ଏହି ପ୍ରସ୍ତାବ ଅନୁସାରେ ପ୍ରତି ଏସଏଚଜି ମହିଳାଙ୍କୁ ୧୦୦୦ ଟଙ୍କା ଏବଂ ଗ୍ରାମ ପଞ୍ଚାୟତ, ବ୍ଲକ, ଜିଲ୍ଲା ଓ ସହରାଞ୍ଚଳସ୍ତରରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାମାନଙ୍କୁ ୨୦୦୦ ଟଙ୍କା ମିଳିବ।

ସେହିପରି ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ରେ ଆର୍ଥିକ ସହାୟତା ରାଶି ବଢ଼ାଇବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏଥିରେ ବୁଣାକାର ଏବଂ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଓ କାରିଗରଙ୍କୁ ମାସିକ ୨୦୦୦ ଟଙ୍କା ସହାୟତା ମିଳିବ। ସେହିପରି ଯୋଜନା ଅନ୍ତର୍ଗତ ୮୦ ବର୍ଷରୁ ଅଧିକ ବୟସ୍କ ବୁଣାକାର ଓ ସହାୟକଙ୍କୁ ମାସିକ ୨୫୦୦ ଟଙ୍କା ସହାୟତା ମିଳିବ। ଏଥିରେ ରାଜ୍ୟର ୨ ଲକ୍ଷ ୭୫ ହଜାରରୁ ଅଧିକ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପୀ ଉପକୃତ ହେବେ।

ସେହିପରି ରାଜ୍ୟର ସବୁ ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ‘ନୂଆ-ଓ ଛାତ୍ରବୃତ୍ତି’ ଯୋଜନା କ୍ୟାବିନେଟରେ ଅନୁମୋଦନ ହୋଇଛି। ଏଥିରେ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ଯୋଗାଇ ଦିଆଯିବ। ଏହାସହ ଉକ୍ତ ଯୋଜନାରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ନିର୍ମାଣ ଶ୍ରମିକଙ୍କ ପୁଅ ଝିଅଙ୍କୁ ୧ ହଜାର ଟଙ୍କାର ଅତିରିକ୍ତ ଛାତ୍ରବୃତ୍ତି ମିଳିବ। ଆଗାମୀ ୫ ବର୍ଷରେ ଏଥିରେ ୩,୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ଯୋଜନା ରଖିଛନ୍ତି।  

ଅନ୍ୟପଟେ ରାଜ୍ୟର ଐତିହ୍ୟ, ପୁରାତନ କୀର୍ତ୍ତିରାଜି ତଥା ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ଅନ୍ତର୍ଗତ ଆଗାମୀ ୫ ବର୍ଷରେ ରାଜ୍ୟର ୧୫୯ଟି ଐତିହ୍ୟ ସ୍ଥଳର ବିକାଶ କରାଯିବ। ଏଥିରେ ୧,୪୧୨ କୋଟି ଟଙ୍କା ଖର୍ଚ୍ଚ ହେବ।

ରାଜ୍ୟ ସଂସ୍କୃତି ବିଭାଗରେ ପୁରୁଣା ପଦବୀର ରିଷ୍ଟ୍ରକଚରିଂ ସହ ନୂଆ ପଦବୀକୁ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ରାଜ୍ୟର ସରକାରୀ ଆଇଟିଆଇ, ପଲିଟେକନିକରେ ଥିବା ବିଭିନ୍ନ ପଦବୀର ରିଷ୍ଟ୍ରକଚରିଂ ପାଇଁ ଦୁଇଟି କ୍ୟାଡର ନିୟମର ସଂଶୋଧନକୁ ମଞ୍ଜୁରୀ ମିଳିଛି।

ସେହିପରି ପୁରୀରେ କୁଲତା ସମାଜର ଧର୍ମଶାଳା ନିର୍ମାଣକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି। ଏଥିପାଇଁ ବାଲୁଖଣ୍ଡରେ ୧ ଏକର ଜମି ଯୋଗାଇ ଦେବେ ରାଜ୍ୟ ସରକାର। 

Tags: #CabinetMeeting #Govtproposals #StateCabinet #CMNaveenPatnaik #Odisha

Comment