ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଦାବି ନେଇ ଏକାଧିକ କୃଷକ ସଂଗଠନ ଆରମ୍ଭ କରିଥିବା ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ହିଂସାତ୍ମକ ହେବାରେ ଲାଗିଛି। ଏଥିରେ ହରିଆଣା ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାସହ ଅନେକ ପୋଲିସ କର୍ମୀ ଓ କୃଷକ ଆହତ ହୋଇଛନ୍ତି।

ବୁଧବାର ପଞ୍ଜାବ-ହରିଆଣା ସୀମାରେ ବସିଥିବା ଆନ୍ଦୋଳନରତ କୃଷକମାନେ ଦିଲ୍ଲୀ ଅଭିମୁଖେ ଯିବାକୁ ଉଦ୍ୟମ କରିଥିଲେ। ହରିଆଣା ପୋଲିସ ପକ୍ଷରୁ ଚାଷୀମାନଙ୍କ ଯାତ୍ରାକୁ ଅଟକା ଯାଇଥିଲା। କଡ଼ା ସୁରକ୍ଷା ସତ୍ତ୍ୱେ ଚାଷୀମାନେ ବ୍ୟାରିକେଡ୍‌ ଭଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ରୋକିବା ପାଇଁ ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା। ଏହାପରେ ହିଂସା ଆହୁରି ବଢ଼ିଥିଲା।

ତେବେ ଏହି ଘଟଣାକୁ କୃଷକ ସଂଗଠନମାନଙ୍କ ତରଫରୁ ତୀବ୍ର ସମାଲୋଚନା କରାଯାଇଛି। ସେମାନଙ୍କ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି କୃଷକମାନେ କହିଛନ୍ତି। ତେବେ କୃଷକମାନଙ୍କ ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ଶୁକ୍ରବାର ଯାଏଁ ସ୍ଥଗିତ ରଖାଯାଇଛି।

ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣି ଥରେ ଆଲୋଚନା ପାଇଁ କୃଷକ ସଂଗଠନମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ତେବେ ଏନେଇ କୃଷକମାନେ ବୈଠକ କରି କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିବେ ବୋଲି ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।

କୃଷକ ସଂଗଠନଙ୍କ ପକ୍ଷରୁ ପ୍ରତ୍ୟେକ ଫସଲ ଉପରେ ଏମଏସପିର ଆଇନଗତ ଗ୍ୟାରେଣ୍ଟି ପାଇଁ ନିୟମ ବନେଇବାକୁ ଦାବି କରାଯାଇଛି। ଏହାସହ ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, କୃଷି ଶ୍ରମିକଙ୍କ ଋଣ କ୍ଷମା, ନକଲି ବିହନ ଓ କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଏବଂ ଚାଷୀଙ୍କ ପାଇଁ ପେନସନ୍ ବ୍ୟବସ୍ଥା ଭଳି ଦାବି କେନ୍ଦ୍ର ସରକାରଙ୍କ ସମ୍ମୁଖରେ କୃଷକ ସଂଗଠନମାନେ ରଖିଛନ୍ତି।    

ଅନ୍ୟପଟେ ଏହି କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୟଙ୍କର ଟ୍ରାଫିକ ସମସ୍ୟା ଉପୁଜିଛି। ଦିଲ୍ଲୀ, ନୋଏଡା ତଥା ଚଣ୍ଡୀଗଡ଼ ଭଳି ସହରର କୌଣସି ସ୍ଥାନକୁ ଯିବା ପାଇଁ ରାସ୍ତାରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଏଥିପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

Tags: #FarmersProtest #MSPGuarantee #DelhiMarch #Farmers #India   

Comment