ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ବିଏମସି କଲ୍ୟାଣ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି କୃତ୍ରିମ ଅଙ୍ଗ ବିତରଣ ସପ୍ତାହ। ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟରର ସହଯୋଗରେ ଫେବ୍ରୁଆରି ୧୯ ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ଦୀର୍ଘ ୯ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ଅବସରରେ ଶାରୀରିକ ଭାବେ ଅକ୍ଷମ ଥିବା ମୋଟ ୧୫୧ ଜଣଙ୍କୁ କୃତ୍ରିମ ଅଙ୍ଗ ତଥା ଆବଶ୍ୟକ ସହାୟକ ସରଞ୍ଜାମ ପ୍ରଦାନ କରାଯାଇଛି। ଗୋଡ଼ ହରାଇଥିବା ୭୭ ଜଣଙ୍କୁ କୃତ୍ରିମ ଗୋଡ଼ ପ୍ରଦାନ କରାଯାଇଥିବା ବେଳେ ୨୯ ଜଣଙ୍କୁ କୃତ୍ରିମ ହାତ, ୧୦ ଜଣଙ୍କୁ ଆଶାବାଡ଼ି ଓ ୯ ଜଣଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଛି।

“ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସେମାନଙ୍କୁ ଅନ୍ୟମାନଙ୍କ ଭଳି ସହଜରେ ଜୀବନ ନିର୍ବାହ କରିବା ଲାଗି ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର ପକ୍ଷରୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି। ଆଗକୁ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଏହିଭଳି କାର୍ଯ୍ୟକ୍ରମ ପାଇଁ ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ପୂରଣ ପାଇଁ ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ସହଯୋଗ କରାଯିବ”, କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ଏହି ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ, “ଅଙ୍ଗ ହରାଇଥିବା ମଣିଷଟିଏ ଆତ୍ମବିଶ୍ଵାସ ହରାଇବା ସହ ନିଜର ଆତ୍ମସମ୍ମାନ ହରାଇଥିବା ଭଳି ଅନୁଭବ କରିଥାଏ। ଏଭଳି କ୍ଷେତ୍ରରେ କୃତ୍ରିମ ଅଙ୍ଗ ସେମାନଙ୍କ ଆତ୍ମସମ୍ମାନ ଏବଂ ଆତ୍ମବିଶ୍ଵାସକୁ ଫେରାଇ ଆଣିବାରେ ବେଶ ସହାୟକ ହୋଇପାରୁଛି।”

“ଦୁର୍ଘଟଣାରେ ମୁଁ ମୋର ଗୋଟିଏ ଗୋଡ଼ ହରାଇଥିଲି। ଭାବୁଥିଲି ଆଉ ଜୀବନରେ କେବେ ଚାଲିବୁଲି ପାରିବି ନାହିଁ। ହେଲେ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃତ୍ରିମ ଗୋଡ଼ ରୋପଣ କରାଯାଇଥିବାରୁ ଏବେ ମୁଁ ପୂର୍ବଭଳି ଚଲାବୁଲା କରିପାରୁଛି” କହନ୍ତି ଭୁବନେଶ୍ୱର ବାସିନ୍ଦା ଦୀପକ କୁମାର ବଡ଼ଜେନା।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବିଏମସି ଡେପୁଟି ମେୟର ମଞ୍ଜୁଲତା କହଁର, ମହିଳା ଶିଳ୍ପଦ୍ୟୋଗୀ ଜୟଶ୍ରୀ ମହାନ୍ତି, ଡାକ୍ତର ସୀତିକଣ୍ଠ ଦାଶ ଓ ଶିଳ୍ପଦ୍ୟୋଗୀ ମହେନ୍ଦ୍ର ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ।

ଆଗକୁ ରାଜ୍ୟର ସମସ୍ତ ଜିଲ୍ଲାରେ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ଯୋଜନା ରହିଛି। ଅଙ୍ଗ ହରାଇଥିବା ବ୍ୟକ୍ତିମାନଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିବା ଲାଗି ରାଜ୍ୟର ସବୁ ପଞ୍ଚାୟତସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରରେ କ୍ୟାମ୍ପ କରାଯିବ। ଏନେଇ ରାଜ୍ୟ ସରକାର ଏବଂ ବିଜୁ ମହାବୀର ଜୟପୁର ଫୁଟ୍ ସେଣ୍ଟର ମଧ୍ୟରେ ଯୁକ୍ତି ସ୍ୱାକ୍ଷର ହୋଇଛି।

Tags: #SSEPDOdisha #ArtificialLlimbs #DifferentlyAbledPeople #Odisha

Comment