ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଚାଲିଛି କସରତ, ବାପାଙ୍କ ପରି ରାଜ୍ୟର ରାଜନୈତିକ କମାଣ ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି ପୁଅ!

(ବିଶାଖାଟଣା ଯଶୋବନ୍ତ ପାଢ଼ୀ): ୨୦୨୪ ସାଧାରଣ ନିର୍ବାଚନ ଲାଗି ଆନ୍ଧ୍ରପ୍ରଦେଶରେ ଚଳଚଞ୍ଚଳ ହୋଇଉଠିଛି ରାଜନୈତିକ ମହଲ। ଚଳିତ ବିଧାନସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି ଆନ୍ଧ୍ରପ୍ରଦେଶର ​​୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ। ଏଥର ଆନ୍ଧ୍ରପ୍ରେଦଶରେ ରାଜନୈତିକ ଫାଇଟ୍ ହେବ ଜୋରଦାର।

ପୁଲିଭେନ୍ଦୁଲା ବିଜୟ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ ରାଜଶେଖର ରେଡ୍ଡୀଙ୍କ ପୁଅ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ପୁଲିଭେନ୍ଦୁଲାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ୱାଇ ଏସ ରାଜଶେଖର ରେଡ୍ଡୀ ୧୯୭୮ରୁ ୨୦୦୯ ମସିହା ମଧ୍ୟରେ ୬ ଥର ପୁଲିଭେନ୍ଦୁଲା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ। ସେ କଂଗ୍ରେସ ଟିକେଟରେ ଲଗାତାର ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳି ଥିଲେ। ଦ୍ଵିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ୨୦୦୯ ମସିହା ସେପ୍ଟେମ୍ବର ୨ ତାରିଖରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୱାଇ ଏସ ରାଜଶେଖର ରେଡ୍ଡୀ ପ୍ରାଣ ହରାଇଥିଲେ।

ସେହିପରି ଟିଡିପି ସୁପ୍ରିମୋ ନାରା ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ମାଙ୍ଗାଲାଗିରିରୁ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ। ଏନ. ଟି. ରାମାରାଓଙ୍କ ପୁଅ ତଥା ଟଲିଉଡ ଅଭିନେତା ଏନ ବାଲାକ୍ରିଷ୍ଣା ହିନ୍ଦୁପୁରରୁ ତୃତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଭାସ୍କର ରାଓଙ୍କ ପୁଅ ଏନ. ମନୋହର, ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଜନାର୍ଦ୍ଧନ ରେଡ୍ଡୀଙ୍କ ପୁଅ ଏନ. ରାମକୁମାର ରେଡ୍ଡୀ ଏବଂ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ବିଜୟ ଭସ୍କର ରେଡ୍ଡୀଙ୍କ ପୁଅ କେ ସୂର୍ଯ୍ୟ ପ୍ରକାଶ ରେଡ୍ଡୀ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ଏମ. ଲାଭନ୍ୟାଙ୍କୁ ଚ୍ୟାଲେଞ୍ଜ କରିବେ ନାରା ଲୋକେଶ

ତିନି ଥରର ମୁଖମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ର ସୁପ୍ରିମୋ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ଚଳିତ ନିର୍ବାଚନରେ ​​ଦ୍ୱିତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୦୧୯ ମସିହାରେ ସେ ମଙ୍ଗଲଗିରି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଫଳ ହୋଇଥିଲେ। ଚଳିତ ଥର ୟୁଭାଜନ ଶ୍ରମିକ ରିଥ୍ୟୁ କଂଗ୍ରେସ ପାର୍ଟି (ୱାଇଏସଆରସିପି) ର ଏମ. ଲାଭନ୍ୟାଙ୍କୁ ଚ୍ୟାଲେଞ୍ଜ କରିବେ ନାରା ଲୋକେଶ।

ଲଗାତର ତୃତୀୟ ଥର ହିନ୍ଦୁପୁରରୁ ନିର୍ବାଚନ ଲଢ଼ିବେ ଏନ.ବାଲକ୍ରିଷ୍ଣା

ସେହିପରି ଟଲିଉଡ ଅଭିନେତା ତଥା ତେଲୁଗୁ ଦେଶମ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଟି ରାମାରାଓଙ୍କ ସବା ସାନ ପୁଅ ଏନ. ବାଲକ୍ରିଷ୍ଣା ଲଗାତର ତୃତୀୟ ଥର ପାଇଁ ହିନ୍ଦୁପୁର ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏନ. ବାଲକ୍ରିଷ୍ଣା ବର୍ତ୍ତମାନ ହିନ୍ଦୁପୁରର ବିଧାୟକ ଅଛନ୍ତି।

ହିନ୍ଦୁପୁର ନିର୍ବାଚନ ମଣ୍ଡଳୀକୁ ଏନ.ଟି. ରାମାରାଓଙ୍କ ପରିବାରର ଏକ ଗଡ଼ ବୋଲି କୁହାଯାଉଛି। ପୂର୍ବରୁ ଏନ ଟି ରାମାରାଓ ବିଧାନସଭା ଏବଂ ତାଙ୍କ ବଡ଼ ପୁଅ ସ୍ଵର୍ଗତ ଏନ. ହରିକ୍ରିଷ୍ଣା ଲୋକସଭା ପାଇଁ ଏଠାରୁ ପ୍ରତିନିଧିତ୍ୱ କରିଛନ୍ତି। ୨୦୧୪ ଏବଂ ୨୦୧୯ ନିର୍ବାଚନରେ ହିନ୍ଦୁପୁର ବିଧାନସଭା ଆସନ ଜିତି ଥିବା ଏନ. ବାଲକ୍ରିଷ୍ଣା ଚଳିତ ଥର ବିଜୟ ଲକ୍ଷ୍ୟ ରଖିଛନ୍ତି।

ତେନାଲିରୁ ନିର୍ବାଚନ ଲଢ଼ିବେ ଏନ. ମନୋହର

ତେନାଲି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଜନସେନା ନେତା ଏନ. ମନୋହର। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଭାସ୍କର ରାଓଙ୍କ ପୁଅ ହେଉଛନ୍ତି ଏନ. ମନୋହର। ଏନ. ମନୋହର ଟିଡିପି, ଜନସେନା ଏବଂ ବିଜେପିକୁ ନେଇ ଗଠିତ ମେଣ୍ଟ ସରକାର ତରଫରୁ ତେନାଲି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ ୨୦୧୪ ମସିହାରେ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ସେ ବିଧାନସଭା ବାଚସ୍ପତି ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ। ପରେ ୨୦୧୮ ମସିହାରେ ସେ ଜନସେନା ଦଳରେ ଯୋଗ ଦେଇଥିଲେ।

ୱାଇଏସଆରସିପି ଟିକେଟରେ ଲଢ଼ିବେ ଏନ. ରାଜକୁମାର ରେଡ୍ଡୀ

ଚଳିତ ଥର ଭେଙ୍ଗଟାଗିରି ବିଧାନସଭା ଅସାନରୁ ନିର୍ବାଚନ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ. ଜନାର୍ଦ୍ଦନ ରେଡ୍ଡୀଙ୍କ ପୁଅ ଏନ. ରାମକୁମାର ରେଡ୍ଡୀ। ୟୁଭାଜନ ଶ୍ରମିକ ରିଥ୍ୟୁ କଂଗ୍ରେସ ପାର୍ଟି (ୱାଇଏସଆରସିପି) ଟିକେଟରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇବେ।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ବିଜୟ ଭାସ୍କାର ରେଡ୍ଡୀଙ୍କ ପୁଅ କେ. ସୂର୍ଯ୍ୟ ପ୍ରକାଶ ରେଡ୍ଡୀ ଧୋନ ନିର୍ବାଚନ ମଣ୍ଡଳୀରୁ ଟିଡିପି ଟିକେଟରେ ନିର୍ବାଚନ ଲଢ଼ିବେ।

ଏଥର ଜୋରଦାର ହେବ ଆନ୍ଧ୍ରପ୍ରଦେଶ ନିର୍ବାଚନ। ୨୦୨୪ ବିଧାନସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ୬ ଜଣ  ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅମାନେ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏମାନଙ୍କ ମଧ୍ୟରୁ ୱାଇ. ଏସ. ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଉଦ୍ୟମ ମଧ୍ୟ ଆରମ୍ଭ କରିଛନ୍ତି। ପୂର୍ବରୁ ବିଜୟୀ ହୋଇଥିବା ଏବଂ ବିଜୟ ଆଶାରେ ଥିବା ପ୍ରାର୍ଥୀମାନେ ନିର୍ବାଚନ ମଇଦାରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପୂରା ପ୍ରସ୍ତୁତ ହୋଇଛନ୍ତି।

Tags: #Politics #AndhraPradeshPolitics #Election #GeneralElection

Comment