ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡିରେ ଯୋଗ ଦେଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ନିଜ ସମର୍ଥକଙ୍କ ସହ ବୁଧବାର ଦିନ ଶଙ୍ଖ ଭବନକୁ ଆସି ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ।

ବିଜେଡି ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଏବଂ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି।

ବାପାଙ୍କ ଅନୁମତି ଏବଂ ଆଶୀର୍ବାଦ ନେଇ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି ମନ୍ମଥ ରାଉତରାୟ। ସେ ଆହୁରି କହିଛନ୍ତି ଯେ, “ଏହା ମୋ ପାଇଁ ସ୍ମରଣୀୟ ତଥା ଗର୍ବର ମୁହୂର୍ତ୍ତ। ଦଳ ପକ୍ଷରୁ ମୋତେ ଯେଉଁ ଦାୟିତ୍ଵ ମିଳିବ ତାକୁ ମୁଁ ନିଷ୍ଠାର ସହ ତୁଲାଇବି। ନିର୍ବାଚନ ଲଢ଼ିବି କି ନାହିଁ ସେ ନିଷ୍ପତ୍ତି ଦଳର। କିନ୍ତୁ ମୁଁ ଶୃଙ୍ଖଳିତ କର୍ମୀ ହିସାବରେ ମୋର କାମ କରିବି।”

ସୁରେଶ ରାଉତରାୟଙ୍କ ଗଡ଼ କୁହାଯାଉଥିବା ଜଟଣୀ ନିର୍ବାଚନମଣ୍ଡଳୀରୁ ମନ୍ମଥ ରାଉତରାୟ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି ବୋଲି ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ବିଜେଡିରେ ଯୋଗ ଦେବା ପରେ ମନ୍ମଥଙ୍କୁ ଦଳ କି ଦାୟିତ୍ଵ ଦେବ ତା’ ଉପରେ ଏବେ ସମସ୍ତଙ୍କ ନଜର।

Tags: #Politics #OdishaPolitics #BJD #Congress #Odisha #ManmathRoutaray

Comment