ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଗାମୀ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଏହା ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ବର୍ଷା ସହ ବିଜୁଳି ଘଡ଼ଘଡ଼ି ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ନେଇ କେତେକ ଜିଲ୍ଲାକୁ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସେହିପରି ମାର୍ଚ୍ଚ ୨୯ରୁ ୩୦ ତାରିଖ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଯାଜପୁର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ଓ୍ଵାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତା ମାର୍ଚ୍ଚ ୩୦ରୁ ୩୧ ତାରିଖ ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ଏବଂ ଯାଜପୁର ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମାର୍ଚ୍ଚ ୩୧ରୁ ଏପ୍ରିଲ ୧ ତାରିଖ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ଵର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି। ଏହି ସମୟ ମଧ୍ୟରେ କେତେକ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ବୁଧବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଥିଲା କାଳବୈଶାଖୀ। ବଜ୍ରପାତ ଏବଂ କୁଆପଥର ମାଡ଼ ଯୋଗୁଁ କେତେକ ସ୍ଥାନରେ ଫସଲ ନଷ୍ଟ ହୋଇଛି। ବୁଧବାର ରାତିରେ ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି।

ଅନ୍ୟ ପଟେ ରାଜ୍ୟରେ ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ସହ ରାତି ତାପମାତ୍ରାରେ ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିବାର ସମ୍ଭାବନା ରହିଛି।

Tags: #Weather #WeatherUpdates #Odisha #Thunderstorm #Lightning #Rainfall

Comment