ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ଡିଆଁ ପର୍ବ ସେତିକି ବଢ଼ୁଛି। ପ୍ରାର୍ଥୀ ଘୋଷଣା ଏବଂ ଟିକେଟ କସରତକୁ ନେଇ ବିଭିନ୍ନ ଦଳ ଭିତରେ ଅସନ୍ତୁଷ୍ଟ ବଢ଼ିବାକୁ ଲାଗିଛି। ଏହାରି ମଧ୍ୟରେ ବୁଧବାର ଦିନ ବିଜେପିରୁ ଇସ୍ତଫା ଦେଇଛନ୍ତି ଦଳର ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର।

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଭୃଗୁ ବକ୍ସିପାତ୍ର ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫା ପତ୍ରକୁ ସେ ରାଜ୍ୟ ବିଜେପି ସଭାପତିଙ୍କ ନିକଟକୁ ପଠାଇଛନ୍ତି। ୨୦୧୯ରେ ବିଜେପି ଟିକେଟରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ ହୋଇଥିଲେ।

ଇସ୍ତଫା ପତ୍ରରେ ନିଜର ଅସନ୍ତୋଷ ଜାହିର କରି ସେ ଲେଖିଛନ୍ତି, “ଅତ୍ୟନ୍ତ ଦୁଃଖର ସହିତ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଭ୍ୟ ପଦରୁ ମୁଁ ଇସ୍ତଫା ଦେଉଛି। ଗତ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ଦଳର ଉନ୍ନତି ପାଇଁ ସବୁ ପ୍ରକାର ପ୍ରୟାସ କରିଛି। ଦଳ ଦେଇଥିବା ସମସ୍ତ ଦାୟିତ୍ଵ ନିଷ୍ଠାର ସହ ତୁଲାଇଛି। ବିଭିନ୍ନ ସାଙ୍ଗଠନିକ ଏବଂ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳ ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ କୃତଜ୍ଞ। କିନ୍ତୁ ଗତ କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ମୁଁ ଉପଲବ୍ଧ କଲି। ତେଣୁ ଆଗକୁ ବଢ଼ିବା ପାଇଁ ସ୍ଥିର କଲି। ଲୋକଙ୍କ ସେବା ଓ ଓଡ଼ିଶାର ବିକାଶରେ ନିଜର କାର୍ଯ୍ୟକୁ ବଜୟ ରଖିବି।”

ଭୃଗୁଙ୍କୁ ବିଜେପିର ଅଣଦେଖା

୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା ଆସନରେ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। କିନ୍ତୁ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କଠାରୁ ହାରିଯାଇଥିଲେ ଭୃଗୁ। ଲୋକସଭା ନିର୍ବାଚନରେ ଭୃଗୁ ବକ୍ସିପାତ୍ରଙ୍କ ସପକ୍ଷରେ ୩ ଲକ୍ଷ ୪୮ ହଜାର ୯୯୯ ଖଣ୍ଡ ଭୋଟ ପଡ଼ିଥିବାବେଳେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁଙ୍କୁ ମିଳିଥିଲା ୪ ଲକ୍ଷ ୪୩ ହଜାର ୮୪୩ ଖଣ୍ଡ ଭୋଟ।

ଏଥର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ ଭୃଗୁ ବକ୍ସିପାତ୍ର। କିନ୍ତୁ ତାଙ୍କ ଉପରେ ଭରସା କରିପାରିଲା ନାହିଁ ଦଳ। ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଘୋଷଣା କଲା ବିଜେପି।

ଗଞ୍ଜାମରେ ପ୍ରଦୀପ ପାଣିଗ୍ରାହୀଙ୍କର ରାଜନୈତିକ ପ୍ରଭାବ ବେଶ ଭଲ ରହିଛି। ତିନି ତିନି ଥର ସେ ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହେବା ସହ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଭାବେ କାମ କରିଛନ୍ତି। ପୂର୍ବରୁ ନିର୍ବାଚନ ହାରିଥିବା କେତେଜଣ ନେତାକୁ ଦଳ ପୁଣି ଟିକେଟ ଦେଇଥିବାବେଳେ ଭୃଗୁ ବକ୍ସିପାତ୍ରଙ୍କୁ ନିରାଶ ହେବାକୁ ପଡ଼ିଛି। ଏପରିକି ତାଙ୍କୁ ବ୍ରହ୍ମପୁର ବିଧାନସଭା ଆସନରେ ପ୍ରାର୍ଥୀ କରିବାକୁ ମଧ୍ୟ ଗୁରୁତ୍ଵ ଦେଲାନି ବିଜେପି। ପୂର୍ବରୁ ବିଭିନ୍ନ ଦଳୀୟ କାର୍ଯ୍ୟରେ ବେଶ ସକ୍ରିୟ ରହୁଥିବା ଭୃଗୁଙ୍କୁ ଗତ କିଛି ମାସ ହେବ ଦେଖିବାକୁ ମିଳୁନଥିଲା। ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିରୁ ସେ ବିଜେପି ଛଡ଼ିଥିବା ଭୃଗୁଙ୍କ ଇସ୍ତଫା ପତ୍ରରୁ ସ୍ପଷ୍ଟ ଜଣାପଡ଼ିଛି।

Tags: #Politics #OdishaPolitics #BhruguBaxipatra #BJP #Odisha #Election

LEAVE A REPLY

Please enter your comment!
Please enter your name here