ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ସେମାନଙ୍କୁ କଟକ, ରାଉରକେଲା ଓ ଅନୁଗୁଳରେ ନିଯୁକ୍ତ କରାଯାଇଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସେମାନେ ଏହି ଦାୟିତ୍ଵରେ ରହିବେ।         

କଟକର ଡିସିପି ଭାବେ ପ୍ରକାଶ ଆରଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ବ୍ରିଜେଶ କୁମାର ରାୟ ରାଉରକେଲାର ଏସପି ହୋଇଥିବାବେଳେ ଉମାଶଙ୍କର ଦାଶଙ୍କୁ ଅନୁଗୁଳ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ମିଳିଛି।

୨୦୦୮ ବ୍ୟାଚର ଆଇପିଏସ ପ୍ରକାଶ ଆର୍ ଏବେ ଭିଜିଲାନ୍ସର ଡିଆଇଜି ଭାବେ କାର୍ଯ୍ୟରତ ଅଛନ୍ତି। ଅନ୍ୟପଟେ ୨୦୦୯ ବ୍ୟାଚର ଆଇପିଏସ ବ୍ରିଜେଶ ରାୟ ଗୁଇନ୍ଦା ବିଭାଗର ଡିଆଇଜି ଭାବେ କାର୍ଯ୍ୟ କରୁଥିବାବେଳେ ୨୦୦୮ ବ୍ୟାଚର ଆଇପିଏସ ଉମାଶଙ୍କର ଦାସ ବର୍ତ୍ତମାନ ସ୍ପେସାଲ ଇଣ୍ଟେଲିଜେନ୍ସ ୱିଙ୍ଗର (ଏସଆଇଡବ୍ଲ୍ୟୁ) ଡିଆଇଜି ଭାବେ କାର୍ଯ୍ୟ କରୁଛନ୍ତି।

କିଛିଦିନ ପୂର୍ବେ ଓଡ଼ିଶାର ଜଣେ ଆଇଜି, ୨ ଜଣ ଜିଲ୍ଲାପାଳ ଓ ୫ ଜଣ ଏସପିଙ୍କୁ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ। ନିର୍ବାଚନ କାର୍ଯ୍ୟକ୍ରମରେ ପକ୍ଷପାତିତା କରୁଥିବା ଅଭିଯୋଗରେ ଆୟୋଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ସେମାନଙ୍କ ମଧ୍ୟରେ ଓଡ଼ିଶା କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂ, କଟକ ଜିଲ୍ଲାପାଳ ବିନୀତ ଭରଦ୍ଵାଜ ଓ ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟ୍ଟବାରୀଙ୍କୁ ପଦରୁ ହଟାଯାଇଥିଲା। ସେହିପରି ଅନୁଗୁଳର ଏସପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁରର ଏସପି ଶ୍ରବଣ ବିବେକ ଏମ, ଖୋର୍ଦ୍ଧାର ଏସପି ଜୁଗୋଳ କିଶୋର ବନୋଥ, ରାଉଲକେଲାର ଏସପି ମିତ୍ରଭାନୁ ମହାପାତ୍ର ଓ ସୁନ୍ଦରଗଡ଼ର ଏସପି କନୱର ବିଶାଲ ସିଂହଙ୍କୁ ନିର୍ବାଚନ କାର୍ଯ୍ୟରୁ ମୁକ୍ତ କରି ଅନ୍ୟାନ୍ୟ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Tags: #IPSOfficers #Police #ElectionCommissionofIndia #Odisha

LEAVE A REPLY

Please enter your comment!
Please enter your name here