ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ଅସହ୍ୟ ହେଲାଣି ତାପମାତ୍ରା। ଏହାକୁ ଦୃଷ୍ଟିରେ ରଖି ଶ୍ରମିକମାନଙ୍କ ଲାଗି ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମରେ ନଲଗାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି।

ଶ୍ରମ ବିଭାଗ ପକ୍ଷରୁ ସମସ୍ତ ରାଜସ୍ଵ କମିଶନର, ଶ୍ରମ କମିଶନର ଏବଂ ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ମହାନଗର ନିଗମ କମିଶନରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ସତର୍କତା ମୂଳକ ପଦକ୍ଷେପ ପୂର୍ବକ ପ୍ରମୁଖ ସହରଗୁଡ଼ିକରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏ ନେଇ ବିଭିନ୍ନ ମହାନଗର ନିଗମର କମିଶନମାନଙ୍କୁ ଏସଆରସିଙ୍କ କାର୍ଯ୍ୟାଳୟରୁ ଚିଠି କରାଯାଇଛି। ବିଭିନ୍ନ ଛକରେ ବିଶ୍ରାମ ଗୃହ ଓ ପାନୀୟ ଜଳର ସୁବିଧା କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ଓଡ଼ିଶାରେ ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେବାକୁ ଲାଗିଛି। ଗୁରୁବାର ଦିନ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ଵର। ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଆଗକୁ ତାପମାତ୍ରାରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Tags: #Weather #LabourDepartment #HeatWave #HotWeather #Odisha #LabourDepartmentGuidelines

Comment