ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଅସହ୍ୟ ଭାବେ ବଢ଼ିବାକୁ ଲାଗିଛି ତାପମାତ୍ରା। ଆଗକୁ ତାପମାତ୍ରାରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ଏବେ ଆଉଟଡୋର ଗେମ ଉପରେ କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)।

ଏସଆରସିଙ୍କ ନିର୍ଦ୍ଦେଶ ଅନୁସାରେ ବାହାରେ କ୍ରିକେଟ୍, ଫୁଟବଲ ଏବଂ ହକି ଭଳି ଖେଳ ଦିନ ୧୧ଟାରୁ ୩ଟା ଯାଏଁ ବନ୍ଦ ରହିବ।

ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ମହାନଗର ନିଗମର କମିଶନରମାନଙ୍କୁ ଶୁକ୍ରବାର ଦିନ ନିର୍ଦ୍ଦେଶ ଦେଇଥିଲେ ଏସଆରସି। ଏହା ସହ ବିଭିନ୍ନ ଛକରେ ବିଶ୍ରାମ ଗୃହ ଏବଂ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଥିଲା।

ଅନ୍ୟପଟେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ୩ଟା ଯାଏର୍ ଶ୍ରମିକମାନଙ୍କୁ କାମରେ ନଲଗାଇବାକୁ ଶ୍ରମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

ତାପମାତ୍ରାରେ ବୃଦ୍ଧି ହେବା ସହ ଅଂଶୁଘାତ ଅଭିଯୋଗ ବୃଦ୍ଧି ପାଉଛି। ରାଜ୍ୟରେ ୮ ଜଣ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରେ ଅନୁଗୁଳରୁ ୫ ଜଣ, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଭୁବନେଶ୍ଵରରୁ ଜଣେ ଲେଖାଏଁ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା  ଅଂଶୁଘାତରେ କାହାର ମୃତ୍ୟୁ ହୋଇନଥିବା ଜନସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Weather #OutdoorGames #RestrictionOnOurtdoorGames #HeatWave #HotWeather #Odisha #SRC

Comment