ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଅନେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ହୋଇଛି। ଫଳରେ ଗତ କିଛି ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ଆଶ୍ଵସ୍ତି ମିଳିଛି। ଆହୁରି ୨ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ। ଏଥିପାଇଁ ୧୧ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟର ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ରାୟଗଡ଼ା, ବଲାଙ୍ଗିର, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।    

କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ସ୍ୱାଭାବିକରୁ ୫ରୁ ୭ ଡିଗ୍ରୀ କମ୍ ରହିଛି। ଏପ୍ରିଲ ୧୧ ତାରିଖ ପରେ ଖରା ବଢ଼ିବା ସହ ତାପମାତ୍ରା ପୁଣି ପ୍ରାୟ ୨ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି।

ରବିବାର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ କଳାବୈଶାଖୀ ଜନିତ ଝଡ଼ବର୍ଷା ହୋଇଥିଲା। ଢେଙ୍କାନାଳ ଜିଲ୍ଲାର ଭୁବନରେ ସର୍ବାଧିକ ୯୧ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା।

Tags: #Kalabaisakhi #Rainfall #Thunderstorm #MCBBSR #Odisha

Comment